ନିଜ ରାଜନୈତିକ ଉତ୍ତରାଧିକାରୀଙ୍କୁ ହଟାଇଲେ ମାୟାବତୀ, କହିଲେ- ‘ପରିପକ୍ବ ହୋଇନାହାନ୍ତି’

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ଲିଡର ମାୟାବତୀଙ୍କ ବଡ ଘୋଷଣା । ନିଜ ରାଜନୈତିକ ଉତ୍ତରାଧିକାରୀ ତଥା ପୁତୁରା ଆକାଶ ଆନନ୍ଦଙ୍କୁ ରାଷ୍ଟ୍ରୀୟ ସଂଯୋଜକ ପଦରୁ ହଟାଇ ଦେଇଛନ୍ତି ମାୟାବତୀ । ଏପରିକି ନିଜ ରାଜନୈତିକ ଉତ୍ତରାଧିକାରୀ ପଦରୁ ମଧ୍ୟ ହଟାଇ ଦେଇଛନ୍ତି । ଆକାଶଙ୍କର ଏବେ ଗୁରୁ ଦାୟିତ୍ୱ ତୁଲାଇବାକୁ ପରିପକ୍ୱତା ଆସିନଥିବା କହି ମାୟାବତୀ ନିଜ ନିଷ୍ପତ୍ତି ଶୁଣାଇଛନ୍ତି । ଏନେଇ ସୋସିଆଲ ମିଡିଆ X ରେ ପୋଷ୍ଟ କରି ଜଣାଇଛନ୍ତି ।
ଚଳିତ ସାଧାରଣ ନିର୍ବାଚନରେ ଆକାଶଙ୍କୁ ଗୁରୁ ଦାୟିତ୍ୱ ଦେଇ ମାୟାବତୀ ନିର୍ବାଚନୀ ବୈତରଣୀ ପାର୍ ହେବେ ବୋଲି ଆଲୋଚନା ହେଉଥିବା ବେଳେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଦଳର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମାୟାବତୀ କହିଛନ୍ତି ।
ମାୟାବତୀ ‘ଏକ୍ସ’ ହ୍ୟାଣ୍ଡେଲରେ କହିଛନ୍ତି, ‘ବହୁଜନ ସମାଜବାଦୀ ପାର୍ଟି ଏକ ରାଜନୈତିକ ଦଳ ବ୍ୟତୀତ ରାଜନୈତିକ ପରିବର୍ତ୍ତନ ପାଇଁ ଏକ ଆନ୍ଦୋଳନ । ଏହି ଦଳ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଆତ୍ମ ସମ୍ମାନ ଓ ଆତ୍ମ ସ୍ୱାଭିମାନକୁ ନେଇ ତିଷ୍ଠି ରହିଛି । ଏହି ବିଚାରଧାରାକୁ ବଜାୟ ରଖିବା ନିମନ୍ତେ କାଂଶୀରାମଜୀ ଏବଂ ମୁଁ ଆମର ସମଗ୍ର ଜୀବନ ଉତ୍ସର୍ଗ କରିଛୁ । ଏହି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ନିମନ୍ତେ ପରବର୍ତ୍ତୀ ପିଢିକୁ ପ୍ରସ୍ତୁତ କରାଯାଉଛି ।’
ଆଗକୁ ସେ କହିଛନ୍ତି, ‘ଏହି କ୍ରମରେ ଅନ୍ୟ ନେତାଙ୍କୁ ମଧ୍ୟ ନେତୃତ୍ୱ ଦେବା ପାଇଁ ଦଳରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆକାଶ ଆନନ୍ଦଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ଘୋଷଣା କରାଯାଇଥିଲା । ମାତ୍ର ଦଳର ଗୁରୁ ଦାୟିତ୍ୱ ତୁଲାଇବା ନିମନ୍ତେ ଆକାଶ ଏବେ ଯଥେଷ୍ଟ ପରିପକ୍ୱ ହୋଇ ନାହାନ୍ତି । ତେଣୁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଏହି ଦାୟିତ୍ୱରୁ ଅନ୍ତର କରାଯାଉଛି । ମାତ୍ର ଆକାଶଙ୍କ ପିତା ଆନନ୍ଦ କୁମାର ପୂର୍ବପରି ବହୁଜନ ସମାଜବାଦୀ ପାର୍ଟିର ସାଙ୍ଗଠନିକ ଦାୟିତ୍ୱ ବଜାୟ ରଖିବେ ।’