ମୁମ୍ବାଇ: ଇଭିଏମ ହ୍ୟାକ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହୁଥିବା ବେଳେ ନିର୍ବାଚନ ସମୟରେ ଏହା ପୁଣି ସତେଜ ହୋଇଛି । ଇଭିଏମକୁ ହ୍ୟାକ କରି ଭୋଟ ବଢ଼ାଇ ଦେବାକୁ କହି ଜଣେ ଯବାନ ଲାଞ୍ଚ ମାଗିବା ଓ ପୋଲିସ ଦ୍ବାରା ଗିରଫ ହେବା ଘଟଣା ସାଧାରଣ ନିର୍ବାଚନ ଚାଲିଥିବା ବେଳେ ଚର୍ଚ୍ଚାର କାରଣ ପାଲଟିଛି । ଇଭିଏମ ସୁରକ୍ଷାରେ ଥିବା ଯବନା ଜଣଙ୍କ ଜଣେ ନେତାଙ୍କୁ ଅଢ଼େଇ କୋଟି ଟଙ୍କା ମାଗିବା ସହ ତାଙ୍କ ଭୋଟ ବଢ଼ାଇ ଦେବାକୁ ଦାବି କରିଥିଲେ । ଘଟଣା ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ସହରରେ ସାମ୍ନାକୁ ଆସିଛି ।
ଇଭିଏମ୍କୁ ହ୍ୟାକ୍ କରିବା ପାଇଁ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀର ନେତା ଅମ୍ବାଦାସ ଦାନବେଙ୍କ ଭାଇଙ୍କୂ ଜଣେ ଯବାନ ୨.୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ମୁମ୍ବାଇ ପୋଲିସ ସମ୍ପୃକ୍ତ ଯବାନଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ସୂଚନା ଦେଇ ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି ରାଜ୍ୟ ବିଧାନ ପରିଷଦରେ ବିରୋଧୀ ଦଳର ନେତା ଅମ୍ବାଦାସ ଦାନବେ ପୋଲିସରେ ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗିରଫ ଯବାନ ଜଣଙ୍କ ଏକ ଚିପ୍ ଜାରିଆରେ ଇଭିଏମ୍ ମେସିନ୍କୁ ହ୍ୟାକ୍ କରିବେ ବୋଲି ଦାବି କରିଥିଲେ । ଏଥିସହ ଭୋଟ୍ ବଢ଼ାଇ ଦେବି ବୋଲି କହି ନେତାଙ୍କୁ ୨.୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ ।
ତେବେ ଅଭିଯୁକ୍ତ ନିଜ ଋଣ ପରିଶୋଧ କରିବାକୁ ଯାଇ ଏଭଳି କାଣ୍ଡ ଘଟାଇଛି । ସେ ଇଭିଏମ୍ ବିଷୟରେ କିଛି ଜାଣି ନଥିବା ପୋଲିସ କହିଛି । ଅଭିଯୁକ୍ତ ଅମ୍ବାଦାସଙ୍କ ସାନଭାଇ ରାଜେନ୍ଦ୍ର ଦାନବେଙ୍କୁ ବସ୍ଷ୍ଟାଣ୍ଟ ନିକଟରେ ଥିବା ଏକ ହୋଟେଲରେ ଭେଟିଥିଲେ । ଯବାନ ଜଣକ ତାଙ୍କୁ ୨.୫ କୋଟି ଟଙ୍କା ମାଗିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ୧.୫ କୋଟି ଟଙ୍କାରେ ଡିଲ୍ ଶେଷ ହୋଇଥିଲା । ପରେ ଅମ୍ବାଦାସ ନାଦବେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଏହାକୁ ଆଧାର କରି ସାଧା ପୋଷାକରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯବାନ ଜଣକ ରାଜେନ୍ଦ୍ର ଦାନବେଙ୍କ ଠାରୁ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା । ଅଭିଯୁକ୍ତଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଜବତ ହୋଇଛି ।
ଇଭିଏମରେ ଭୋଟ ବଢ଼ାଇ ଦେବାକୁ କହି ଅଢ଼େଇ କୋଟି ଲାଞ୍ଚ ମାଗି ଯବାନ ଗିରଫ
