ନାସିକ: ପାରିବାରିକ କଳହ କାରୁଣରୁ ଜନ୍ମକଲା ପୁଅ ଓ ଝିଅଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଛାତରୁ ଡେଇଁ ଆତ୍ମହତ୍ୟା କଲେ ମହିଳା । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ନାସିକ ସହରରେ । ସ୍ବାମୀ ଉପରେ ରାଗ ସୁଝାଇବାକୁ ଯାଇ ନିଜେ ଜୀବନ ହାରିବା ସହ ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ ନେଇଗଲେ ମହିଳା ।
ମୃତା ମହିଳା ଅଶ୍ୱିନୀ ନିକୁମ୍ଭ ଓ ତାଙ୍କର ୮ ବର୍ଷୀୟା ଝିଅ ଆରାଧ୍ୟା ଓ ୨ ବର୍ଷୀୟ ପୁଅ ଅଗସ୍ତ୍ୟ ବୋଲି ଜଣାପଡିଛି । ଅଶ୍ୱିନୀ ନିଜ ସ୍ୱାମୀ ସ୍ୱନିଳ ଓ ପିଲାଙ୍କ ସହ ନାସିକରେ ରହୁଥିଲେ । କିଛିଦିନ ହେବ ଉଭୟ ପତିପତ୍ନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା । ସ୍ୱନିଳ କୌଣସି କାମରେ ପୁଣେ ଯାଇଥିଲେ । ଘରେ ଦୁଇ ପିଲାଙ୍କ ସହ ଏକା ଥିବା ଅଶ୍ବିନୀ ପ୍ରଥମେ ପୁଅ ଓ ଝିଅଙ୍କୁ ବିଷ ଦେଇ ହତ୍ୟା କରିଥିଲେ । ଏହାପରେ ସେ ଛାତକୁ ଯାଇ ଡେଇଁ ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଅଶ୍ୱିନୀଙ୍କ ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ପରେ ତାଙ୍କ ଘର ଭିତରେ ପଶିବାରୁ ଚଟାଣରେ ଦୁଇ ଛୁଆଙ୍କ ମୃତଦେହ ପଡ଼ିଥିଲା । ଏଥିସହ ଘରୁ ଏକ ସୁଇସାଇଡାଲ ନୋଟ ବି ଜବତ ହୋଇଛି । ସ୍ୱାମୀଙ୍କ ଉପରେ ଅତିଷ୍ଠ ହୋଇ ଏପରି ଚରମ ପଦକ୍ଷେପ ଉଠାଉଥିବା ଅଶ୍ୱିନୀ ସେଥିରେ ସେ ଉଲ୍ଲେଖ କରିଥିଲେ ।
ଏନେଇ ପୋଲିସ ସ୍ୱନିଳଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରିଥିଲା । ସେ ତୁରନ୍ତ ନାସିକରେ ପହଞ୍ଚିବା ପରେ ପୋଲିସ୍ ତାଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି ।
ସ୍ବାମୀ ଉପରେ ରାଗ ସୁଝାଇବାକୁ ପୁଅଝିଅଙ୍କୁ ବିଷ ଦେଇ ଛାତରୁ ଡେଇଁଲେ ମହିଳା
