ସାଇକେଲରେ ନାମାଙ୍କନ ଭରିବାକୁ ଗଲେ ସୁରଙ୍କ ପୁଅ ସିଦ୍ଧାର୍ଥ


ନିମାପଡ଼ା: ଚଳିତ ନିର୍ବାଚନରେ ଚର୍ଚ୍ଚାରେ ଜଟଣୀ ବିଧାୟକ ସୁର ରାଉତରାୟ । ସେ ନିର୍ବାଚନ ଲଢୁ ନଥିଲେ ବି ଦୁଇପୁଅ ଦୁଇ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ବଡ଼ ପୁଅ ସୁଦ୍ଧାର୍ଥ ରାଉତରାୟ ନିମାପଡ଼ା ବିଧାନସଭା କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି କ୍ରମରେ ଆଜି ଏକ ନିଆରା ଢଙ୍ଗରେ ସିଦ୍ଧାର୍ଥ ନାମାଙ୍କନ ଭରିବାକୁ ଯାଇଛନ୍ତି । କୌଣସି ଗାଡିରେ ନଯାଇ ଚାଇକେଲ ଚଲାଇ ସେ ନାମାଙ୍କନ ଭରିବାକୁ ଯାଇଛନ୍ତି ।
ସିଦ୍ଧାର୍ଥ ବ୍ୟାଟେରୀ ଚାଳିତ ସାଇକେଲ ଚଢି ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଇଛନ୍ତି । ହରିପୁରଠାରୁ ସିଦ୍ଧାର୍ଥ ପୁରୀ ଅଭିମୁଖେ ତାଙ୍କ ସାଇକେଲ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୟରେ ଅନେକ ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଭିନ୍ନ ନେତା ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ବଡ ବଡ ଗାଡି, ଯାନ ବାହାନ ନେଉଛନ୍ତି । ସିଦ୍ଧାର୍ଥ କିନ୍ତୁ ପରିବେଶ ପ୍ରଦୂଷଣକୁ ଅଗ୍ରାଧିକାର ଦେଇଛନ୍ତି ।
ସୂଚନାଯୋଗ୍ୟ, ସୁରଙ୍କ ସାନ ପୁଅ ତଥା ବିଜେଡି ସାଂସଦ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଭରିବା ବେଳେ ନିଆରା ପନ୍ଥା ଆପଣାଇଥିଲେ । ସେ ଦୌଡ଼ି ଦୌଡ଼ି ଯାଇ ନାମାଙ୍କନ ଭରିଥିଲେ । ତେବେ ସୁର କଂଗ୍ରେସର ଜଣେ ଆଗଧାଡିର ତୁଙ୍ଗ ନେତା ହୋଇଥିବା ବେଳେ ଦୁଇ ପୁଅ ଦୁଇଟି ଦଳରୁ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏପରିକି ସାନ ପୁଅ ମନ୍ମଥ ପାଇଁ ପ୍ରଚାର କରି ସୁର କଂଗ୍ରେସରୁ ବହିଷ୍କୃତ ମଧ୍ୟ ହୋଇଛନ୍ତି । ଏପରି ସ୍ଥିତିରେ ପ୍ରଚାରରେ ନିଆରା ପ୍ରୟାସ କରୁଥିବା ସିଦ୍ଧର୍ଥ ଓ ମନ୍ମଥଙ୍କୁ ଭୋଟର କେତେ ଗ୍ରହଣ କରୁଛନ୍ତି ତାହା ଆସନ୍ତା ଜୁନ ୪ ତାରିଖ ଭୋଟ ଗଣତି ପରେ ଜଣାପଡିଯିବ ।