ଆଖିରେ ଅପରେସନ ପଟି: ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ବୈଜୟନ୍ତ


କେନ୍ଦ୍ରାପଡ଼ା: ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଭରିଲେ ନାମାଙ୍କନ ପତ୍ର । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୈଜୟନ୍ତ । ଏହି ସମୟରେ ତାଙ୍କ ବାମପଟ ଆଖିରେ ପଟି ଲଗାଇଥିବା ଦେଖିବାକୁ ମିଳିଛି । କାରଣ କିଛିଦିନ ପୂର୍ବରୁ ତାଙ୍କ ଆଖିର ଅପରେସନ ହୋଇଥିଲା । ତେବେ ନାମାଙ୍କନ ଶୋଭାଯାତ୍ରାରେ ବୈଜୟନ୍ତ ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଯାଇ ସେ ନାମାଙ୍କନ ଭରିଛନ୍ତି ।
ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ବୈଜୟନ୍ତ ପଣ୍ଡା ବିଶାଳ ଶୋଭାଯାତ୍ରାରେ ଯାଇଥିଲେ । ସେ ପ୍ରଥମେ ତିନି ମୁହାଣି ସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ତିନି ମୁହାଣିରୁ ଶୁଭେଚ୍ଛେୁ, ସମର୍ଥକ ଓ ବିଜେପି କର୍ମକର୍ତ୍ତାଙ୍କ ସହ ଏକ ବିରାଟ ପଟୁଆର ବାହାରିଥିଲେ । ବାଟରେ ଲୋକେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।
ବୈଜୟନ୍ତଙ୍କ ଶୋଭାଯାତ୍ରା ଲ’ କଲେଜ, ତିନି ମୁହାଁଣି ଛକ, କଜଳା, ମହିପାଳ, ନୂଆ ବସ୍‌ଷ୍ଟାଣ୍ଡ, ବଡ଼ ହାଟ ଓ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ତା’ପରେ ସେ ସେଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ । ବୈଜୟନ୍ତଙ୍କ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀମାନେ ସାମିଲ ହୋଇଥିଲେ ।
ଏହି ଅବସରରେ ବୈଜୟନ୍ତ କହିଛନ୍ତି, ହଜାର ହଜାର ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ମୋଦିଙ୍କ ନେତୃତ୍ୱ ପାଇଁ ଲୋକମାନଙ୍କ ମନରେ ଏହି ଉତ୍ସାହ ଦେଖିବାକୁ ମିଳୁଛି । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ରହିଛି । ଆଗାମୀ ୫ବର୍ଷ ମଧ୍ୟରେ ବିକାଶ ଦୁଇ ଗୁଣା ହେବ । ଦୁଇ ଥର ପଦ୍ମ ଓ ଦୁଇ ଗୁ଼ଣା ବିକାଶ ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି । ତାହା ସଫଳ ହେବା ଏହି ଜନସମୁଦ୍ର କହୁଛି ।