ଖସିଲା ବେରିଂ, ଧସିଲା ବ୍ରିଜ; ଗାଡି ଚଳାଚଳ ଠପ୍


ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ବ୍ରିଜର ଗୋଟିଏ ସ୍ପାନର ବେରିଂ ଖସି ପଡିଛି । ଫଳରେ ବ୍ରିଜଟି ଗୋଟିଏ ପଟକୁ ଢଳି ପଡିଛି । ଏଥିଯୋଗୁଁ କୌଣସି ଅଘଟଣ ଆଶଙ୍କାରେ ପୋଲିସ ଓ ପୂର୍ତ୍ତ ବିଭାଗ ପକ୍ଷରୁ ବଡ ଗାଡି ଚଳାଚଳ ଉପରେ କଟକଣା ଲଗାଯାଇଛି। ଫଳରେ ଆନନ୍ଦପୁର-ଘସିପୁରା ମଧ୍ୟର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉଭୟ ପଟେ ଅନେକ ଯାନ ବାହାନ ଅଟକି ରହିଥିବା ବେଳେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
୫୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବେ ଆନନ୍ଦପୁରରୁ ଘସିପୁରାକୁ ସଂଯୋଗ କରୁଥିବା ଏହି ପୋଲ ନିର୍ମିତ ହୋଇଥିଲା । ଏହା ପୋଲ ମୟୂରଭଞ୍ଜ, ଭଦ୍ରକ, କଟକ, ଭୁବନେଶ୍ୱର ଆଦି ଜିଲ୍ଲାରୁ ଯୋଡ଼ୁଛି । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ୨ରୁ ୩ ବର୍ଷ ହେଲା ଏପରି ସମସ୍ୟା ଲାଗି ରହୁଛି । ମରାମତି ପରେ କିଛି ଦିନ ଠିକ୍‌ ଚାଲୁଛି, ହେଲେ ପରେ ଯେସାକୁ ତେସା । ବସ୍‌, ଟ୍ରକ୍‌ ଆଦି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିବାରୁ ଲୋକେ ଦୁଇ ଚକିଆ ଯାନ, ଅଟୋ, କାର୍‌ ଆଦିରେ ଯାତାୟତ କରୁଛନ୍ତି । ମାତ୍ର ଯେଉଁମାନେ ବସ୍‌ରେ ଦୂରଦୂରାନ୍ତକୁ ଯାଉଛନ୍ତି ସେମାନେ ହଇରାଣ ହେଉଛନ୍ତି ।