ଅଧରାତିରେ ନିଆଁ ଲାଗି ଜଳିଗଲା ବ୍ୟାଙ୍କ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ଥିବା ଏକ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆର ଖୋର୍ଦ୍ଧା ଶାଖାରେ ଏହି ନିଆଁ ଲାଗିଥିଲା । ଏଥିରେ ବ୍ୟାଙ୍କର ସମସ୍ତ କମ୍ପ୍ୟୁଟର, ଆସବାବପତ୍ର ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।
ରାତି ପ୍ରାୟ ସାଢ଼େ ୩ଟାରେ ବ୍ୟାଙ୍କ ଭିତରୁ ଧୂଆଁ ବାହାରିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲେ । ଦୀର୍ଘ ସମୟ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।