ଦିନକ ପରେ ମତଦାନ, ବୁଥ ମୁହାଁ ପୁଲିଂ ଅଧିକାରୀ


ଭୁବନେଶ୍ବର: ମେ ୧୩ ତାରିଖରେ ଦେଶରେ ତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଓଡ଼ିଶାରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ହେବ ମତଦାନ । ଆଉ ଏହି ସବୁ ସଂସଦୀୟ କ୍ଷେତ୍ର ହେଲା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ । ଆଜି ଏସବୁ ସଂସଦୀୟ କ୍ଷେତ୍ରରେ ପ୍ରଚାର ଶେଷ ହୋଇଛି ।
ଏବେ ଏସବୁ ସଂସଦୀୟ କ୍ଷେତ୍ରକୁ ଇଭିଏମ୍, ଭିଭିପାଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଧରି ବୁଥ୍ ମୁହାଁ ପୁଲିଂ ପାର୍ଟି । ଏଥିପାଇଁ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ନକ୍ସଲ ପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ୧୩ ତାରିଖରେ ପ୍ରଥମ ଥର ପାଇଁ ଭୋଟିଂ ହେବାକୁ ଯାଉଛି । ଯନ୍ତ୍ରୀ ଓ ସନ୍ୟାସୀଗୁଡ଼ାରେ ହୋଇଛି ମତଦାନ କେନ୍ଦ୍ର । ଜିଲ୍ଲାରେ ରହିଛି ମୋଟ ୧୧୪ ସମ୍ବେଦନଶୀଳ ବୁଥ୍ ।
ସେହିପରି ନବରଙ୍ଗପୁର ଜିଲ୍ଲାରେ ୪ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ ଦୁର୍ଗମ ତଥା ଜିଲ୍ଲା ମୁଖ୍ୟାଳୟରୁ ଅଧିକ ଦୂର ହୋଇଥିବାରୁ ଉମରକୋଟ ଓ ଝରିଗାଁକୁ ଆଜି ବାହାରିଛନ୍ତି ପୁଲିଂ ଅଧିକାରୀ ଓ କର୍ମଚାରୀ । ବାକି ଦୁଇଟିକୁ ଆସନ୍ତାକାଲି ପଠାଯିବ ।
କୋରାପୁଟ ସରକାରୀ ମହାବିଦ୍ୟାଳୟରେ ପଟାଙ୍ଗି, ଲକ୍ଷ୍ମୀପୁର ଓ କୋରାପୁଟ ପାଇଁ ୧୫ଟି କାଉଣ୍ଟର ଖୋଲାଯାଇ ଶୃଙ୍ଖଳିତ ଭାବେ ହୋଇଛି ଭୋଟିଂ କିଟ୍ ବଣ୍ଟନ । ଆଜି ଏଠାରୁ ୩ଟି ନିର୍ବାଚନ ମଣ୍ଡଳୀର ବୁଥକୁ ପୁଲିଂ ପାର୍ଟି ଯାଇଛି । ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ହୋଇଛି ବ୍ୟାପକ ବ୍ୟବସ୍ଥା ।
ସେପଟେ ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ବିଭିନ୍ନ ବୁଥ୍ ଅଭିମୁଖେ ଆଜିଠୁ ଯାଇସାରିଛି ପୁଲିଂ ପାର୍ଟି । କାଲି ନୂଆପଡ଼ା ବିଧାନସଭାର ବୁଥ୍‌ ଗୁଡ଼ିକର ପାଳି । କିଛି ଦୁର୍ଗମ ସ୍ଥାନକୁ ହେଲିକପ୍ଟରରେ ପୁଲିଂ ଟିମ୍ ଯିବାର କାର୍ଯ୍ୟକ୍ରମ ରହିଛି । ଏଣେ ବ୍ରହ୍ମପୁରର ୟୁସିପି ଇଞ୍ଜିନିୟରିଂ କଲେଜ ପରିସରରେ ପ୍ରଶାସନ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଥର ବହୁ ପୁଲିଂ ଅଧିକାରୀ ପ୍ରଥମ ଥର ଇଲେକ୍ସନ ଡ୍ୟୁଟିରେ ଯାଉଛନ୍ତି ।
ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ହୋଇଛି ୭ ହଜାର ୩୦୩ ବୁଥ୍ । ୩୭ ଲୋକସଭା ଓ ୨୪୩ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷ ୮୭ ହଜାର ଭୋଟର୍ । ଫାଷ୍ଟ୍ ଫେଜରେ ପୁରୁଷଙ୍କଠାରୁ ପ୍ରାୟ ୧ ଲକ୍ଷ ଅଧିକ ମହିଳା ଭୋଟର ଅଛନ୍ତି । ୭୧୫ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ୧୨୭୬ଟି ଆଦର୍ଶ ବୁଥ୍ ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ବ୍ରହ୍ମପୁର ବିଧାନସଭା ନିର୍ବାଚନ ପାଇଁ ୧୭ ଜଣ ପ୍ରାର୍ଥୀ ଥିବାରୁ ସେଠାରେ ଦୁଇଟି ଇଭିଏମ୍ ବ୍ୟବହୃତ ହେବ । ୬୦ ପ୍ରତିଶତ ବୁଥରୁ ଲାଇଭଷ୍ଟ୍ରିମ୍ ବ୍ୟବସ୍ଥା କରାଯାଇଥିବା ବେଳେ, ୧୨୬୪ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ସୁରକ୍ଷା ପାଇଁ ବିଭିନ୍ନ ଫୋର୍ସର ୨ ଶହରୁ ଅଧିକ କମ୍ପାନୀ ଯବାନ ମୁତୟନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ।