ପାଣି, ରାସ୍ତା ଓ ଅନ୍ୟ ସମସ୍ୟା ନେଇ ଭୋଟ ବର୍ଜନ, ବୁଥ ଆଗରେ ଗ୍ରାମବାସୀଙ୍କ ଧାରଣା


ଲକ୍ଷ୍ମୀପୁର: ସରକାର ଆସୁଛନ୍ତି ଯାଉଛନ୍ତି, ହେଲେ ଲୋକଙ୍କ ସମସ୍ୟା ଯେମିତି ଥିଲା ସେମିତି ଅଛି । ଆଜି ବି ପାଣି, ରାସ୍ତା ଓ ଅନ୍ୟ ସମସ୍ୟାରେ ଜର୍ଜରିତ ଲୋକେ । ନିର୍ବାଚନ ସମୟରେ ବିଭିନ୍ନ ଦଳ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି । ଏଟା କରି ଦେବୁ, ସେଟା କରି ଦେବୁ କହି ଭୋଟ ନେଇ ଯାଉଛନ୍ତି । ଆଉ ତା’ପରେ ଲୋକଙ୍କ କଥା ଭୁଲି ଯାଉଛନ୍ତି । ଏମିତି କିଛି ଅଭିଯୋଗ ନେଇ ଆଜି ଓଡ଼ିଶାରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ୧୭୩ ନମ୍ବର ବୁଥର ଭୋଟର । ମୌଳିକ ସୁବିଧା ସମାଧାନ କରିବା ଦାବିରେ ଗ୍ରାମବାସୀ ଭୋଟ ବର୍ଜନ କରି ବୁଥ୍‌ ଆଗରେ ଧାରଣା ଦେଇଛନ୍ତି ।
ଆଜି ସକାଳେ ଶତାଧିକ ଗ୍ରାମବାସୀ ବୁଥକୁ ଆସିଥିଲେ । ହେଲେ କେହି ବି ଭୋଟ୍ ଦେବାକୁ ବୁଥ ଭିତରକୁ ଯାଇ ନଥିଲେ। ବୁଥ୍ ବାହାରେ ଧାରଣାରେ ବସି ମୌଳିକ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଭୋଟ ଦେବେ ନାହିଁ ବୋଲି କହିଥିଲେ । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନୀକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛନ୍ତି।
ଜଣେ ଭୋଟର କହିଛନ୍ତି, ପାନୀୟ ଜଳ ସମସ୍ୟ, ରାସ୍ତାଘାଟ ଓ ଅନ୍ୟ ସମସ୍ୟା ନେଇ ନେତା, ବିଧାୟକ ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲୁ। ସମସ୍ତେ କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ କେହି କିଛି କଲେନି । ଏହାରି ପ୍ରତିବାଦରେ ଭୋଟ୍ ବର୍ଜନ କରି ପ୍ରତିବାଦ କରୁଛୁ ।