ଭୁବନେଶ୍ବର: ଓଡ଼ିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ମତଦାନ ହୋଇଛି । ଏହି ସବୁ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମେସିନରେ ସିଲ ହୋଇସାରିଛି । ଜୁନ ୪ରେ ଜଣାପଡିବ କାହାକୁ ମିଳିଛି ଭୋଟରଙ୍କ ସମର୍ଥନ । ତେବେ ନିର୍ବାଚନ ସରିବା ପରେ ବିଭିନ୍ନ ଦଳଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି । ବିଜେଡି ୨୮ରୁ ୨୪ ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇବା ପରେ ବିଜେପି କହିଛି ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ୨୮ରୁ ୧୮ ଆସନରେ ଜିତିବ ଦଳ । ବିଜେଡି ଯାହା କହିଲେ ବି ଏ ଫଳାଫଳରେ ଫରକ ପଡିବନି । ବିଧାନସଭାରେ ୧୮ ଓ ଲୋକସଭାରେ ମୋଟ ୧୬ଟି ଆସନ ଅକ୍ତିଆର କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏପରିକି ଆଗକୁ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ।
ଗତକାଲି ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହାର ଅଧିନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିଛି । ତେବେ ଏହି ୨୮ଟି ଆସନରୁ ୨୪ଟି ଆସନରେ ବିଜେଡି ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ । ନବୀନଙ୍କ ଭଲ କାମ ଓ ଲୋକପ୍ରିୟତା ଯୋଗୁଁ ବିଜେଡି ଅଧିକରୁ ଅଧିକ ଆସନ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ ।
ଓଡ଼ିଶା ବିଧାନସଭା ନିର୍ବାଚନ: ବିଜେପିର ଦାବି ୨୮ରୁ ୧୮ ଜିତିବୁ
