ଜନତାଙ୍କ ଅପାର ସ୍ନେହ ଓ ଉତ୍ସାହ ବିଜେପିର ଅଦ୍ଭୁତପୂର୍ବ ବିଜୟର ସନ୍ଦେଶ ଦେଉଛିଲୋକସଭା ଓ ବିଧାନସଭାରେ ଦୁଇ ଥର ପଦ୍ମଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ


ଜମନକିରା : ଦୀର୍ଘ ୨୫ ବର୍ଷ ଧରି ଯେଉଁମାନେ ଓଡ଼ିଶାକୁ ଲୁଟ କରିଛନ୍ତି, ଏବେ ଓଡ଼ିଶାର ନେତୃତ୍ବ ମାନଙ୍କୁ ଆଡେଇ ଦେବା ପାଇଁ ଷଡଯନ୍ତ୍ର କରିଛନ୍ତି, ସେମାନେ ହିଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏଥର ନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ ମୂଳପୋଛ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର କୁଚିଣ୍ଡା ନିର୍ବାଚନମଣ୍ଡଳୀର ଭୋଜପୁର, କୁସୁମୀ, ଗୋଛରା, କେଶାଇବାହାଲ, ବାମରା ଓ ଗଢପୋଷ ସମେତ ଅନେକ ସ୍ଥାନରେ ନିର୍ବାଚନୀ ପ୍ରଚାର କରିଛନ୍ତି। ବିଭିନ୍ନ ଶୋଭାଯାତ୍ରାରେ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ସେ କହିଛନ୍ତି ଯେ ଯେଉଁମାନେ ୨୫ ବର୍ଷ ହେବ ଗାଁରେ ପିଇବା ପାଣି ଦେଇନାହାନ୍ତି, ଜମିକୁ ଜଳସେଚନର ବ୍ୟବସ୍ଥା କରିନାହାନ୍ତି ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡ଼ିଶାରେ ଅନେକ ପରିମାଣରେ ପନିପରିବା ଉତ୍ପାଦନ ପରେ ମଧ୍ୟ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା ନାହିଁ। ସରକାରୀ ଡାକ୍ତରଖାନାରେ ଡାକ୍ତର ଦେଇନାହାନ୍ତି। ସ୍କୁଲରେ ଶିକ୍ଷକ ରଖିନାହାନ୍ତି। ଓଡ଼ିଶାର ଏକ ତୃତାୟାଂଶ ଲୋକ ଭିଟାମାଟି ଛାଡି ବାହାର ରାଜ୍ୟରେ କାମ କରୁଛନ୍ତି। ଏଥୁରୁ କୁମ୍ଭୀର କାନ୍ଦଣା କିଏ ହେଉଛି, ତାହା ଲୋକ ବିଚାର କରିବେ। ୨୫ ବର୍ଷର ବିଜେଡି ସରକାରରେ କୁଚିଣ୍ଡା ଅବହେଳିତ। କୃଷିଭିତ୍ତିକ ଅଞ୍ଚଳରେ ଜମିକୁ ଜଳସେଚନ ହୋଇପାରୁନଥିବାରୁ ଚାଷୀମାନେ ଅସୁବିଧା ଭୋଗୁଛନ୍ତି। ମରୁଡ଼ି ହେଉଛି। ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ରାଜ୍ୟ ସରକାର ଦେଉନାହାନ୍ତି। ପେସା ଆକ୍ଟ କାର୍ଯ୍ୟକାରୀ ହେଉନଥିବା ବେଳେ ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳୁନାହିଁ।ଆଦିବାସୀଙ୍କ ଜମି ବିକିବା ପାଇଁ କିଏ କ୍ୟାବିନେଟ୍ ନିଷ୍ପରି କରିଥିଲା ? ଦୀର୍ଘ ୨୫ ବର୍ଷରେ ଜମିକୁ ଜଳସେଚନ ବ୍ୟବସ୍ଥା ନକରିବା, ଶୀତଳ ଭଣ୍ଡାର ସ୍ଥାପନ ନ କରିବା କ’ଣ ରୂପାନ୍ତରଣ ? କୃଷିଭିତ୍ତିକ ଅଞ୍ଚଳ ଛେଣ୍ଡିପଦାରେ ଧାନ କିଶାରେ କଟନୀ-ଛଟନୀ ମଧ୍ୟ ହେଉଛି। ଏହା ବିରୋଧରେ ଲୋକେ ମେଳି ବାନ୍ଧିଛନ୍ତି। ଓଡ଼ିଶାରେ ଏଥର ପିଇବା ପାଣି, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟସେବା, ରୋଜଗାର ଓ ମହିଳା ସୁରକ୍ଷା ପାଇଁ ପରିବର୍ତ୍ତନ ହେବ। ବିଜେପିର ସଂକଳ୍ପ ପତ୍ର ଉପରେ ସମବେତ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ। ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି ଟ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ। ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ। କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ। ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ। କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ। ରାଜ୍ୟରେ ମୋଦୀ ସରକାରଙ୍କ ଏସଏଚଜି ସମୂହକୁ ନେଇ ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରା‌ଯିବ। କୁଚିଣ୍ଡାକୁ ଏକ ଅଗ୍ରଣୀ ସବଡିଭିଜନ ଭାବେ ଗଢିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଜନତାଙ୍କ ଅପାର ସ୍ନେହ ଓ ଉତ୍ସାହ ବିଜେପିର ଅଦ୍ଭୁତପୂର୍ବ ବିଜୟର ସନ୍ଦେଶ ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆୟୋଜିତ ପୃଥକ ପୃଥକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନେକ ନେତା, କର୍ମୀ ଓ ଯୁବବର୍ଗମାନେ ସାମିଲ ହୋଇଥିଲେ। ଦୁଇ ଗୁଣା ପଦ୍ମ, ଦୁଇ ଗୁଣା ବିକାଶର ନାରା ଦେବା ସହ ଲୋକସଭା ଓ ବିଧାନସଭାରେ ଦୁଇ ଥର ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଜି ଭୋଜପୁର ଠାରେ ଅନୁଷ୍ଠିତ ହୋଇଥିବା ବିଜୟ ସଂକଳ୍ପ ସମାବେଶରେ କୁଲୁଣ୍ତି, ଖର୍ସନମାଲ, ଜମନକିରା, ବଡରମା, ଭୋଜପୁର, କେନାଢିପା, ଫାଶିମାଲ, ସୁବର୍ଣ୍ଣପାଲି ଅଂଚଳର ଯୁବକ, ମହିଳା ଓ ପୁରୁଷ ଦଳର ବିଭିନ୍ନ ପଦ ପଦବୀରେ ଥିବା ବିଜେଡି ଓ କଂଗ୍ରେସ ଦଳ ଛାଡି ଶତାଧିକ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ବିଜେପି ବିଧାୟକ ପ୍ରାର୍ଥୀ ରବିନାରାୟଣ ନାଏକଙ୍କ ଉପସ୍ଥିତ ବିଜେପିରେ ଯୋଗଦାନ କରିଛନ୍ତି। ଭୋଜପୁର, ଜମନକିରା ସରପଞ୍ଚ ଓ ସୁବର୍ଣ୍ଣପାଲି ନାଏବ ସରପଞ୍ଚ ବିଜେପିରେ ସାମିଲ।