ସୋରଡ଼ା: ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅଭିତ ଶାହଙ୍କ କଡ଼ ସମାଲୋଚନା । କହିଲେ- କେନ୍ଦ୍ରରେ ଚାଉଳ ବାଲା ସରକାର ଚାଲିଥିବା ବେଳେ ଏଠି (ଓଡ଼ିଶା)ରେ ଥୈଲାବାଲା ସରକାର ଚାଲିଛି । ନରେନ୍ଦ୍ର ମୋଦି ସରକାର ଗରିବଙ୍କ ପାଇଁ କେନ୍ଦ୍ରରୁ ଚାଉଳ ପଠାଉଛନ୍ତି । ଏଠି ସେ ଚାଉଳକୁ ଥଳିରେ ପୂରାଇ ନିଜର ଫଟୋ ଲଗାଇ ଦେଉଛନ୍ତି ନବୀନ । ଆଉ ଚାଉଳ ସେ ଦେଉଥିବା କହି ଓଡ଼ିଶା ଲୋକଙ୍କୁ ଭୂଆଁ ବୁଳାଉଛନ୍ତି ।
ସେ କହିଛନ୍ତି, ଓଡ଼ିଶାର ଗରିବଙ୍କୁ ମୋଦିଜୀଙ୍କ ସରକାର ପ୍ରତି ମାସରେ ପ୍ରତି ବ୍ୟକ୍ତିକୁ ୫ କେଜି ଲେଖାଏଁ ଚାଉଳ ଦେଉଛନ୍ତି । ହେଲେ ନବୀନ ବାବୁ ସେହି ଚାଉଳକୁ ଥଳିରେ ପୂରାଇ ନିଜର ଫଟୋ ଲଗାଇ ଦେଉଛନ୍ତି । ଆଉ କହୁଛନ୍ତି, ଏହି ଚାଉଳ ମୁଁ ଦେଉଛି । ଆରେ ନବୀନ ବାବୁ ଯଦି ଚାଉଳ ଦେବାର ଅଛି, ତାହା ହେଲେ ସେହି ଥଳିରେ ଆଉ ଅଢ଼େଇ କିଲୋ ଚାଉଳ ପୂରାଇ ଦେଇଥିଲେ ଗରିବଙ୍କ ଭଲ ହୋଇଥାଆନ୍ତା । ଏଥିରୁ ଜଣାପଡ଼ୁଛି କେନ୍ଦ୍ରରେ ଚାଉଳ ବାଲା ସରକାର ଚାଲିଥିବା ବେଳେ ନବୀନ ବାବୁ ‘ଥୈଲାବାଲା’(ଥଳି) ସରକାର ଚଳାଉଛନ୍ତି । ଏଥର କିନ୍ତୁ ନବୀନ ବାବୁ ଆସିବାର ନାହିଁ । ଓଡ଼ିଆ ଲୋକ ତାଙ୍କୁ ଟାଟା, ବାଏ ବାଏ କରିଦେଲେଣି । ନବୀନ ବାବୁଙ୍କର ଆଉ ଆବଶ୍ୟକତା ନାହିଁ । ଏଠି ବିଜେପିର ମୁଖ୍ୟମନ୍ତ୍ରୀ ଆସିବାକୁ ଯାଉଛି ।
ରାମ ଜନ୍ମଭୂମୀ ମହୋତ୍ସବକୁ ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଶାହ । କହିଛନ୍ତିଳ ପୂରା ଦେଶ ରାମ ଉତ୍ସବ ପାଳନ କରୁଥିବା ବେଳେ ନବୀନ ପଟ୍ଟନାୟକ ସରକାର ରାମ ଜନ୍ମଭୂମୀ ମହୋତ୍ସବରେ ସାମିଲ୍ ହେବାକୁ ଅନୁମତି ଦେଲେନାହିଁ । ଯିଏ ରାମ ଉତ୍ସବକୁ ଅଟକାଉଛି, ତାଙ୍କୁ ଓଡ଼ିଶାର ଜନତା କେବେ କ୍ଷମା ଦେବେନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶକୁ ସୁରକ୍ଷିତ କରିଛନ୍ତି । ପୂରା ଦେଶ ନକ୍ସଲବାଦରେ ଗ୍ରସ୍ତ ଥିଲା । ୧୦ ବର୍ଷରେ ମୋଦିଜୀ ନକ୍ସଲବାଦ ଓ ଆତଙ୍କବାଦକୁ ଏକପ୍ରକାର ଶେଷ କରି ଦେଶକୁ ସୁରକ୍ଷିତ କରିଛନ୍ତି ।
କଂଗ୍ରେସ ସରକାରକୁ ଟାର୍ଗେଟ କରି ଶାହ କହିଛନ୍ତି, କଂଗ୍ରେସର ସରକାର ଥିଲା ବେଳେ ପ୍ରତିଦିନ ବୋମା ବିସ୍ଫୋରଣ ହେଉଥିଲା । ପାକିସ୍ତାନରୁ ଆସି ବୋମା ବିସ୍ଫୋରଣ କରି ଚାଲି ଯାଉଥିଲେ । ମୋଦି ସରକାର ଆସିବା ପରେ ପୁଲୱମା ଓ ଓରୀରେ ବିସ୍ଫୋରଣ ହୋଇଥିଲା । ହେଲେ ମୋଦିଜୀ ସର୍ଜିକାଲ ଏୟାର ଷ୍ଟ୍ରାଇକ୍ କରି ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଓଡ଼ିଶା ନକ୍ସଲବାଦରେ ପୀଡ଼ିତ ଥିଲା । ମୋଦି ସରକାରଙ୍କ ୧୦ ବର୍ଷରେ ଓଡ଼ିଶା ସମେତ ଝାରଖଣ୍ଡ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଚାଲିଥିବା ନକ୍ସଲବାଦ ଖତମ ହୋଇଛି ବୋଲି ଶାହ କହିଛନ୍ତି।