ସୁରକ୍ଷାକର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୪ ବାଳ ଅପରାଧୀ ଛୁ


ରାଜସ୍ଥାନ: ବାଳ ଅପରାଧୀଙ୍କ କାରନାମା । ସୁରକ୍ଷାକର୍ମୀଙ୍କୁ ଆଇନା ଦେଖାଇ ଜେଲରୁ ହେଲେ ଛୁ ମନ୍ତର । ଘଟଣା ଘଟିଛି ରାଜସ୍ଥାନର ହନୁମାନଗଡ଼ରେ । ସୁରକ୍ଷା କର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ସୁଧାର ଗୃହରୁ ଫେରାର ହୋଇଯାଇଛନ୍ତି ୪ ବାଳ ଅପରାଧୀ । ପୋଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଛି ।
ହନୁମାନଗଡ଼ ବାଳ ସ୍ୱଧାର ଗୃହର ନିରୀକ୍ଷକ ମନୋଜ କୁମାରଙ୍କ କହିବାନୁ ଅନୁଯାୟୀ, ବାଳ ଅପରାଧୀମାନେ ସୁରକ୍ଷା କର୍ମୀଙ୍କୁ ପାଣି ପିଇବାକୁ ମାଗିଥିଲେ । ଏହାପରେ ସୁରକ୍ଷା କର୍ମୀ ଜଣକ ଗେଟ୍‌ ଖୋଲିବାରୁ ସେମାନ ତାଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡ଼ି ଫେରାର ହୋଇ ଯାଇଛନ୍ତି ।
ବାଳ ଅପରାଧୀମାନଙ୍କ କାରନାମା ସୁଧାର ଗୃହରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ସିସିଟିଭିରୁ ଭିଡିଓ ଦେଖି ଦାୟିତ୍ବରେ ଥିବା ଅନ୍ୟ ସୁରକ୍ଷାକର୍ମୀମାନେ ଆକ୍ଟିଭ ହୋଇଯାଇଥିଲେ । ହେଲେ ସେତେବେଳକୁ ଅଭିଯୁକ୍ତମାନେ ଜେଲ ବାହାରକୁ ଚାଲିଯାଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ।
ଫେରାର ବାଳ ଅପରାଧୀମାନେ ଚୋରି ତଥା ଭିନ୍ନ ଭିନ୍ନ ଅଭିଯୋଗରେ ଏଠାକୁ ଆସିଥିଲେ । ହନୁମାନଗଡ଼ ବାଳ ସ୍ୱଧାର ଗୃହରେ ସମୁଦାୟ ୯ ବାଳ ଅପରାଧୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଫେରାର ହେବା ଘଟଣା କର୍ତ୍ତୃପକ୍ଷଙ୍କ ଟେନସନ୍‌କୁ ବଢ଼ାଇ ଦେଇଛି ।