କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ବିଜେପି ପ୍ରାର୍ଥୀ ଓ ବିଦ୍ରୋହୀ ପ୍ରାର୍ଥୀ ହାତାହାତି


କଟକ: ବଡମ୍ବାରେ ବିଜେପିର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଏଠାରେ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ ଟିକେଟ ନପାଇ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ବିଜୟ ଦଳବେହେରା । ଉଭୟ ପ୍ରାର୍ଥୀ ସମର୍ଥକଙ୍କୁ ଧରି ପ୍ରଚାର ଚଲାଇଛନ୍ତି । ଏହି ସମୟରେ ଯେଉଁଠି ଦୁଇ ପ୍ରାର୍ଥୀଙ୍କ ସମର୍ଥକ ସମ୍ନାସାମ୍ନି ହେଉଛନ୍ତି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି । ଆଜି ଖୋଦ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏମିତି ଘଟଣା ଘଟିଛି ।
କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି ବିଜେପି ପ୍ରାର୍ଥୀ ଓ ବିଦ୍ରୋହୀ ପ୍ରାର୍ଥୀଙ୍କ ସମର୍ଥକ । ମିଳିଥିବା ସୂଚନା ଅନୁସାରେ, ବିଜେପି ଟିକେଟ ନପାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ବିଜୟଙ୍କ ପ୍ରଚାର ବେଳେ ଧସେଇ ପଶିଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଜେପି ପ୍ରାର୍ଥୀ । କିଛି ସମୟ ପାଇଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ବଡ଼ମ୍ବା ଗାନ୍ଧୀଛକ ନିକଟରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସମୟରେ ଏହି ଘଟଣା ଘଟିଛି । ବିଜେପିର କଟକ ଲୋକସଭା ଆସନ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଘୋର ବିରୋଧ କରିଛନ୍ତି ବଡ଼ମ୍ବା ସ୍ଵାଧୀନ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ସମର୍ଥକ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଆୟତ୍ତକୁ ଆସିଥିଲା । ଆଜି ନରସିଂହପୁର ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଜେପି ସଭାରେ ଯୋଗ ଦେବାକୁ ଆସିବା ସମୟରେ ଏହି ଘଟଣା ଘଟିଛି ।