ଭୁବନେଶ୍ବର: ରାଜ୍ୟରେ ଜୋର ଧରିଛି ନିର୍ବାଚନୀ ପ୍ରଚାର । ବିଜେଡି ଷ୍ଟାର କ୍ୟାମ୍ପେନର ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ ଜୋରଦାର ପ୍ରଚାର କରୁଛନ୍ତି । ବିଜେପି ବି ପଛରେ ପଡିନାହିଁ । ରାଜ୍ୟ ନେତାଙ୍କ ସହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି ଓଡ଼ିଶା ମଙ୍ଗ ସମ୍ଭାଳିଛନ୍ତି । ଏମାନଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବି ଓଡ଼ିଶାରେ ପ୍ରଚାର ଚଲାଇଛନ୍ତି । ଏହି କ୍ରମରେ ୨୦ ତାରିଖରେ ପୁଣି ଥରେ ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ।
ସୋମବାର ସକାଳେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ବଡ଼ଦାଣ୍ଡରେ ଆରମ୍ଭ ହେବ ମୋଦିଙ୍କ ମେଗା ରୋଡ ଶୋ’ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ବଡ଼ଦାଣ୍ଡରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି । ୨୦୧୯ ପରି ୨୦୨୪ରେ ମଧ୍ୟ ପୁରୀରେ ବିଜେପି ପାଇଁ ପ୍ରଚାର କରିବେ ମୋଦୀ ।
ଏହାପରେ ଅନୁଗୁଳ ଓ କଟକରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି କ୍ୟାମ୍ପେନରୁ ମୁଖ୍ୟତଃ ପୁରୀ, ଢେଙ୍କାନାଳ, କଟକ, ସମ୍ବଲପୁର ଲୋକସଭା ଓ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ବିଜେପି ଫାଇଦା ଉଠାଇବାକୁ ରଣନୀତି କରିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦୁଇଥର ଓଡ଼ିଶା ଆସି ସାରିଛନ୍ତି । ଏହା ତାଙ୍କର ତୃତୀୟ ଗସ୍ତ । ଗତ ୧୦ ତାରିଖରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ ଶୋ’କୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳିଥିଲା । ଏହାପରେ ପୁରୀ ଲୋକସଭା ଆସନ ଓ ଏହା ଅଧୀନରେ ଥିବା ବିଧାନସଭାର ବିଜେପି ପ୍ରାର୍ଥୀଙ୍କ ପାଇଁ ରୋଡ ଶୋ’ ଜରିଆରେ ଭୋଟ ମାଗିବେ ପ୍ରଧାନମନ୍ତ୍ରୀ ।