ଦ୍ବିତୀୟ ପର୍ଯ୍ୟାୟ ମତଦାନ: ୫ ଲୋକସଭା, ୩୫ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା


ଭୁବନେଶ୍ବର: ଓଡ଼ିଶାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ସକାଳୁ ସକାଳୁ ବୁଥରେ ଭୋଟରଙ୍କ ଗହଳି ଦେଖିବାକୁ ମିଳିଛି । ଏହି ପର୍ଯ୍ୟାାରେ ଆସିକା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ଚାଲିଛି । ଏହି ୫ ସଂସଦୀୟ କ୍ଷେତ୍ରରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୦ଲକ୍ଷ ୩୩ ହଜାର ୯୯୨ ପୁରୁଷ, ୩୯ ଲକ୍ଷ ୩୫ ହଜାର ୪୪ ମହିଳା ଭୋଟର ଏବଂ ୮୫୧ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।
ସେହିପରି ୨ ଲକ୍ଷ ୧୩ ହଜାର ୧୨୯ ଜଣ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ବେଳେ ୧୬ ଲକ୍ଷ ୯୮ ହଜାର ୫୧୬ ଜଣ ଯୁବ ତଥା ୨୦ରୁ ୨୯ ବର୍ଷ ବୟସର ଭୋଟର ଅଛନ୍ତି । ଏହି ପର୍ଯ୍ୟାୟରେ ଭୋଟ ପାଇଁ ୯ ହଜାର ୧୪୮ ମତଦାନ କେନ୍ଦ୍ର ରହିଛି । ଏଥିମଧ୍ୟରୁ ୧ ହଜାର ୯୦ଟି ସହରାଞ୍ଚଳ ଓ ୮ ହଜାର ୫୮ଟି ଗ୍ରାମାଞ୍ଚଳରେ ରହିଛି । ୧ହଜାର ୪୧ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ଓ ୨୫ଟି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ । ୧ହଜାର ୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି ।
ସେହିପରି ୫ ଲୋକସଭା କ୍ଷେତ୍ରରେ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନୀ ଲଢୁଛନ୍ତି । ଏମାନଙ୍କ ମଧ୍ୟରୁ ୩୪ ପୁରୁଷ ଓ ୬ ଜଣ ମହିଳା ରହିଛନ୍ତି । ୩୫ ବିଧାନସଭା କ୍ଷେତ୍ରରେ ମୋଟ ୨୬୫ ଜଣ ପ୍ରାର୍ଥୀ ଭାଗ୍ୟ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ୨୨୪ ପୁରୁଷ ଓ ୪୧ ମହିଳା ଅଛନ୍ତି ।
୫ ଲୋକସଭା ଆସନରେ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ବଲାଙ୍ଗିରର ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ ଓ କଂଗ୍ରେସର ସୁରେନ୍ଦ୍ର ସିଂ ଭୋଇ, ସୁନ୍ଦରଗଡର ବିଜେପି
ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଓ ବିଜେଡି ପ୍ରାର୍ଥୀ ତଥା ହକି ତାରକା ଦିଲ୍ଲୀପ ତିର୍କୀ, ବରଗଡରେ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଓ କନ୍ଧମାଳରେ ବିଜେଡିର ଅଚ୍ୟୁତ ସାମନ୍ତ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.