ବେଲଗୁଣ୍ଠାରେ ନିର୍ବାଚନ ଶାନ୍ତିପୂର୍ଣ୍ଣ, ୫୫% ମତଦାନ


ବେଲଗୁଣ୍ଠା-୨୦/୫- ଆସ୍କା ଲୋକସଭା ଅନ୍ତର୍ଗତ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ରେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି ।ଆଜି ସକାଳ ଠିକ୍ ୭ ଘଣ୍ଟା ସମୟରୁ ମତଦାନ ଆରଂଭ ହୋଇଥିବା ବେଳେ କା ଭାଁ ହୋହାଲ୍ଲା ବ୍ୟତୀତ ସଂଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିଲା ।ବେଲଗୁଣ୍ଠା ବ୍ଳକର୍ ୧୮ ଟି ପଞ୍ଚାୟତ ଓ ଏନ୍.ଏ.ସିର ୧୩ ଟି ୱାର୍ଡରେ ପୁରୁଷ ଭୋଟର ୫୭୦୮୬, ମହିଳା ୫୨୨୨୭ ଓ ୮ ଜଣ କିନ୍ନରଙ୍କୁ ନେଇ ମୋଟ ଭୋଟର ୧୦୯୩୨୧ଙ୍କ ଭୋଟଗ୍ରହଣ ପାଇଁ ବେଲଗୁଣ୍ଠା ଏନ୍.ଏ.ସି ଓ ବ୍ଳକରେ ମୋଟ ୧୧୫ ଟି ବୁଥ୍ ପ୍ରସ୍ତୁତ ହୋଇଥିବା ବେଳେ ସେଥି ମଧ୍ୟରୁ ପିଙ୍କ୍ ତଥା ସଖି ବୁଥ୍ ୧୧ଟି,ମଡେଲ୍ ବୁଥ୍ ୫ଟି ,ୟୁଥ୍ ବୁଥ୍ ୩ଟି ଓ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଧିଷ୍ଟ ଗୋଟିଏ ବୁଥ୍ ପ୍ରସାଶନ ତରଫରୁ ତିଆରି ହୋଇଥିଲା ।ମୋଟ ଭୋଟରଙ୍କ ମଧ୍ୟରୁ ଖବର ଲେଖା ହେବା ପର୍ଯ୍ୟନ୍ତ ୫୫% ମତଦାନ ହୋଇଥିବା ସୂଚନା ମିଳିଛି । କିଛି ବୁଥ୍ ରେ ଇଭିଏମ୍ ମେସିନ୍ ରେ ଯାନ୍ତ୍ରିକ ତୃଟି ପାଇଁ ମତଦାନରେ ଦେଢ଼ ଘଣ୍ଟା ରୁ ୨ ଘଣ୍ଟା ବ୍ୟାଘାତ ସୃଷ୍ଟି ହୋଇଥିଲା ।ପରେ ମେସିନ୍ ବଦଳାଇଲା ପରେ ଭୋଟଗ୍ରହଣ ହୋଇଥିଲା । ବିଳମ୍ବ ହୋଇଥିବା ବୁଥ୍ ତଥା ବେଲଗୁଣ୍ଠା ବାଲିଡି ପ୍ରାଥମିକ ବିଦ୍ୟାଳୟରେ ୯୨ ନମ୍ବର ଓ ବଡପଡା ପଞ୍ଚାୟତ କୁଶପଲୀ ର ୬୧ ନମ୍ବର ବୁଥ୍
ଗୁଡିକରେ ରାତି ୮.୩୦ ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇଥିବା ଜଣାପଡିଛି ।ସକାଳ ୭ଟା ଠାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ମଧ୍ୟାହ୍ନ ୧୨ ଟା ରୁ ୩ ଟା ପର୍ଯ୍ୟନ୍ତ ମତଦାନ ଧିମା ପଡିଥିବା ବେଳେ ଅପରାହ୍ନ ୩ ଟା ପରେ ପୁଣି ଭୋଟଗ୍ରହଣ ଗତି ବଢିଥିବା ଲକ୍ଷ୍ୟ କରାଯାଇଥିଲା ।ଯୁବ ଓ ଭିନ୍ନକ୍ଷମ ଭୋଟରଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ନିଜର ମୁଲ୍ୟବାନ ମତସାବ୍ୟସ୍ତ କରିଥିବା ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ଲକ୍ଷ୍ୟ କରାଯାଇଥିଲା । ଭିନ୍ନକ୍ଷମ, ଅସୁସ୍ଥ ଓ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଶାସନ ତରଫରୁ ହୁଇଲଚେୟାର ହୋଇଥିବା ବେଳେ ଗ୍ଲୁକୋଜର ବ୍ୟବସ୍ଥା ହୋଇଥିଲା ।ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ଵରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ପ୍ରତି ବୁଥ୍ ରେ ୪ ଜଣ ଲେଖାଏଁ ବି.ଏସ୍.ଏଫ୍ ଓ ତ୍ରିପୁରା ସ୍ପେଶାଲ୍ ଆର୍ମଡ୍ ପୋଲିସ ମୁତୟନ କରାଯାଇଥିବା ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି । ଅବାଧ ଓ ନୀରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଓ ତହସିଲଦାର କଳାକୃଷ୍ଣ ପ୍ରଧାନ ତୀକ୍ଷ୍ଣ ନଜର ରଖିଥିଲେ ।