ଭୁବନେଶ୍ବର: ଓଡ଼ିଶାରେ ବିଜେପି ତା’ର ପ୍ରଚାରକୁ ଜୋରଦାର କରିଛି । କେନ୍ଦ୍ରୀୟ ନେତାଙ୍କ ଘନ ଘନ ପ୍ରଚାର ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ସୃଷ୍ଟି କରିଛି ଉତ୍ସାହ । ଏହି କ୍ରମରେ ଆଜି ରାମାୟଣ ସିରିଏଲର ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ସେହିପରି ଆସନ୍ତାକାଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶାକୁ ପ୍ରଚାର କରିବାକୁ ଆସୁଛନ୍ତି ।
ତଥ୍ୟ ଅନୁସାରେ ଆଜି ଅରୁଣ ଓଡ଼ିଶା ଆସି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭାରେ ଯୋଗଦେବେ। ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ଅରୁଣ ବିଜେପିରୁ ସାଂସଦ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି ।
ସେହିଭଳି ଆସନ୍ତାକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସି ଚିଲିକା ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସାଲେପୁର କୁଳିଆରେ ଜନସଭା କରିବେ । ସକାଳ ୧୦ଟା ସମୟରେ ଯୋଗୀଙ୍କ ସହ ଏହି ସଭାରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ କୁମାର ଘଡେଇ ଓ ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯୋଗୀଙ୍କର ଏହି ପ୍ରଚାର ଉପକୂଳ ଓଡ଼ିଶାରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।
ସେହିପରି କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ସଭାରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମ ମଧ୍ୟ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଦେବଗଡ଼, ବଡବିଲ, ଚୌଦ୍ୱାର ଓ ବଡମ୍ବାରେ ସଭା କରିବେ ।