ବାଲେଶ୍ବର: ବିଜେପିର ହାଇ ଭୋଲଟେଜ ନେତ୍ରୀ ଆଜି ବାଲେଶ୍ବର ମାଟିରେ ବିଜେଡି ସାଂସଦ ପ୍ରାର୍ଥିନୀଙ୍କ ଧଜିଆ ଉଡ଼ାଇଛନ୍ତି । ଲେଖାଶ୍ରୀଙ୍କ ଏକ ଅଡିଓ ବଜାଇ ତାଙ୍କୁ ଟ୍ୟାପବାଲୀ ଦିଦି କହିବା ସହ ପଚାରିଛନ୍ତି ତିନିଟି ପ୍ରଶ୍ନ ।
କୁରୁଡା ହାଟ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ସ୍ମୃତି ଇରାନୀ କହିଛନ୍ତି, ନବୀନ ବାବୁ ୩୨ ହଜାର କୋଟି ଚିଟ୍ଫଣ୍ଡ ଦୁର୍ନୀତି କରିଛନ୍ତି । ଟ୍ୟାପ୍ବାଲି ଦିଦି ସେ ଟଙ୍କା କୁଆଡ଼େ ଗଲା ? ନବୀନ ବବାବୁ ୬୦ ହଜାର କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଦୁର୍ନୀତି କରିଛନ୍ତି । ଦିଦି ସେହି ଟଙ୍କା କୁଆଡ଼େ ଗଲା ? ଟ୍ୟାପବାଲି ଦିଦିଙ୍କ ପାଖରେ ଯଦି ମୋ କଥା ପହଞ୍ଚୁଛି, ତାହା ହେଲେ କହିବେ କି ରତ୍ନଭଣ୍ଡାର ଚାବି କେଉଁଠି ଅଛି ? ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି, ୧ ତାରିଖରେ ବିଜେପିକୁ ଭୋଟ୍ ଦେଇ ଚାବି କୁଆଡେ ଗଲା ତାହାର ରାଜ ଖୋଲନ୍ତୁ । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ଖୋଜାଯିବ । ତଦନ୍ତ କରାଯାଇ ରତ୍ନଭଣ୍ଡାର ମାମଲାରେ ଯିଏ ସଂପୃକ୍ତି ଥିବେ ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେ ଆହୁରି କହିଛନ୍ତି, ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଲକ୍ଷେ ୭ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ନରେନ୍ଦ୍ର ମୋଦି ସରକାରଙ୍କ କିସାନ୍ ନିଧି ସମ୍ମାନ ଯୋଜନାରେ ପ୍ରତିବର୍ଷ ୬ ହଜାର ଟଙ୍କା ଲେଖାଏଁ ଜମା କରୁଛନ୍ତି । ହେଲେ ବିଜେଡି ସରକାର ଏତେ ନିକମ୍ମା ସରକାର ଚାଷୀଙ୍କୁ ସରଞ୍ଜାମ ଦେଇପାରୁନି । ଆଜି ଏଠାରେ ମୁଁ କାହିଁକି ବିଜେଡିର ପୋଲ୍ ଖୋଲିବି ? ଲେଖା ଦିଦି ଖୋଦ୍ ବିଜେଡି ପୋଲ୍ ଖୋଲୁଛନ୍ତି । ପ୍ରତାପ ଭାଇ ଟ୍ୟାପ୍ ବଜାଇଲେ । ସେ (ଲେଖାଶ୍ରୀ) ବିଜେଡିରେ ଥିଲେ । ବିଜେପିକୁ ଆସିଲେ, ଏବେ ପୁଣି ବିଜେଡିକୁ ଗଲେ । ଯାହାର ନିଜର ଠିକଣା ନାହିଁ, ସିଏ ଆପଣଙ୍କ ପାଇଁ କ’ଣ ବୁଝିବେ ବୋଲି ସ୍ମୃତି ବାଲେଶ୍ବରବାସୀଙ୍କୁ ପ୍ରଶ୍ନ କରିଛନ୍ତି ।
ଆଗକୁ ସେ କହିଛନ୍ତି, ଦୁଇ କୋଟିରୁ ଅଧିକ ନାଗରୀକଙ୍କ ଜନଧନ ଆକାଉଣ୍ଟ ଖୋଲିବା ବ୍ୟକ୍ତିଙ୍କ ନାଁ ହେଉଛି ନରେନ୍ଦ୍ର ଦାମୋଦର ଦାସ ମୋଦି । ବାଲେଶ୍ୱର-ବାରିପଦା-ଝାରପୋଖରୀଆ ଏନ୍ଏଚ୍ ୧୮ର ଚାରି ଲେନ୍, ବନ୍ଦେ ଭାରତର ଏକ୍ସପ୍ରେସ୍ ସହିତ ଯୋଡ଼ି ହେବା, ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ବାଲେଶ୍ୱର ରେଳ ଷ୍ଟେସନ୍ର ବିକାଶ କାମ କରିଥିବା ବ୍ୟକ୍ତି ହେଉଛନ୍ତି ମୋଦି । ଆଜି ମୁଁ ପଚାରିବାକୁ ଚାହୁଁଛି, କେତେ ଲୋକ କରୋନା ଇଞ୍ଜେକ୍ସନ୍ ନେଇଛନ୍ତି ? ଯଦି ମୋଦି କରୋନା ଟିକା ମାଗଣା କରିନଥାଆନ୍ତେ, ତାହା ହେଲେ କ’ଣ ଗରିବଙ୍କ ଜୀବନ ବଞ୍ଚି ପାରିଥାଆନ୍ତା ? କରୋନା ସମୟଠାରୁ ଆଜି ପର୍ଯ୍ୟନ୍ତ ମୋଦି ସରକାର ଗରିବଙ୍କୁ ଚାଉଳ ଦେଉଛନ୍ତି । ହେଲେ ଲେଖା ଦିଦି କହୁଛନ୍ତି, ମୋଦୀ ଗରିବଙ୍କୁ ଧୋକ୍କା ଦେଇଛନ୍ତି । ରାସନ୍ ଦେବେ ମୋଦି ଓ ଫଟୋ ଲଗାଇବେ ନବୀନ । ରାସନ୍ ଦେବେ ମୋଦି ଓ ବ୍ୟାଗ ଦେବେ ତାମିଲନାଡୁର ଠିକାଦାର ।
ବାଲେଶ୍ବରରେ ଲେଖାଶ୍ରୀଙ୍କ ଧଜିଆ ଉଡ଼ାଇଲେ ସ୍ମୃତି ଇରାନୀ
