ଭୁବନେଶ୍ବର: ବାତ୍ୟା ରେମାଲ ଘନୀଭୂତ ହୋଇ ଭୀଷଣରୁ ଅତି ଭୀଷଣ ରୂପ ନେଇଛି । ଆଜି ମଧ୍ଯରାତ୍ରୀରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ଯରେ କରିବ ଲ୍ଯାଣ୍ଡଫଲ । ଏନେଇ ସୂଚନା ଦେଇଛି ଆଇଏମଡି । ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ ।
ସାଗର ଦ୍ବୀପ, ନମାକନା ଓ ବଖାଲିରେ ଆକାଶ ମେଘାଚ୍ଛନ୍ନ ରହିଛି । ଉତ୍ତର ଦିଗ ଅଭିମୁଖେ ରେମାଲ ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି । ବାଂଲାଦେଶର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଖେପୁପରାରେ ଏହା କେନ୍ଦ୍ରୀଭୂତ ହେଉଛି । ଲ୍ଯାଣ୍ଡଫଲ ବେଳେ ପବନର ଗତି ଘଣ୍ଟାକୁ ୧୧୦ରୁ ୧୨୦ କିମି ରହିବ। କେତେକାଂଶରେ ଏହା ୧୩୫ କିମି ପେଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ବାତ୍ୟା ପ୍ରଭାବରେ ସମୁଦ୍ରରେ ଦେଢ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା କରାଯାଇଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ କରାଯାଇଛି । ଭାରତୀୟ ସେନା ଓ ନୌସେନାର ଟିମକୁ ବି ସତର୍କ ରଖାଯାଇଛି । ଚବିଶ ପରଗଣାର ଲୋକଙ୍କୁ ଅଧିକ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି । ଆସାମ, ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ଦୀଘା ସମୁଦ୍ର କୂଳରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଦୋକାନ ବଜାର ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମୁଦ୍ରରେ ସ୍ନାନ ଲାଗି ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାନ୍ତ ସାଗରଦ୍ବୀପ, ସୁନ୍ଦରବନ ସହ ଖେପପୁରାରେ ବାତ୍ଯା ପ୍ରାକ ପ୍ରଭାବ ଦେଖିବାକୁ ମିଳିଛି । ଦୀଘା ନିଉ ଦୀଘା, ମନ୍ଦାରମଣି, ଶଙ୍କରପୁର, ତାଳଚେରି ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକକୁ ଦୀଘା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଦୀଘାରେ ସମୁଦ୍ର ଢେଉ ଉଚ୍ଚତା ବଢ଼ିବା ସହ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ଯଜୀବୀଙ୍କୁ ବାରଣ କରାଯାଇଛି । ବାତ୍ଯା ଆଶଙ୍କା ଥିବାରୁ ଏହାର ପ୍ରଭାବ ବିମାନ ବନ୍ଦର ଓ ଷ୍ଟେସନରେ ପଡିଛି । କେତେକ ବିମାନର ଉଡାଣ ବାତିଲ କରାଯାଇଥିବାବେଳେ କିଛି ଟ୍ରେନର ଯାତାୟତକୁ ବାତିଲ କରାଯାଇଛି ।
ଅତି ଭୀଷଣ ରୂପ ନେଲା ବାତ୍ୟା ‘ରେମାଲ’, ଆଜି ରାତିରେ ଲ୍ୟାଣ୍ଡଫଲ୍
