ଭୁବନେଶ୍ବର: ସମୀର ଦାସଙ୍କ ଟିକେଟ କାଟ୍ । ଟିକେଟ ପାଇଁ ସମୀରଙ୍କ ଶକ୍ତି ପ୍ରଦର୍ଶନ । ସମୀରଙ୍କୁ ସନ୍ତୁଷ୍ଟ କରିବାକୁ ଦିଆଗଲା ପର୍ଯ୍ୟବେକ୍ଷକ ଲଢୁ । ହେଲେ ଅସନ୍ତୋଷର ନିଆଁରେ ଜଳୁଥିବା ସମୀରଙ୍କ ଯୋଜନା ଥିଲା ଭିନ୍ନ । ପ୍ରଥମେ ଧୀରେ ଧୀରେ କରି ସମର୍ଥକ ଓ କର୍ମୀ ବିଜେଡିକୁ କଲେ ବାଏ ବାଏ । ତା’ପରେ ସମୀର ବିଜେଡିରୁ ଦେଲେ ଇସ୍ତଫା । ଖାଲି ଇସ୍ତଫା ଦେଲେ ନାହିଁ ଯେଉଁ ବିଜେପିକୁ ସମାଲୋଚନା କରିବାରେ ଥକୁ ନଥିଲେ, ସେହି ଦଳରେ ସାମିଲ ହେଲେ । ସମୀରଙ୍କ ବିଜେପି କ୍ୟାମ୍ପରେ ଏଣ୍ଟ୍ରି ପରେ ଶଙ୍ଖ ଦଳିଆଙ୍କ ନିଦ ହଜି ଯାଇଛି । ଏପରିକି ଏଥର ନିମାପଡ଼ାରେ ଶଙ୍ଖ କଣା ହୋଇଯିବ ବୋଲି ବି ଭାଇରାଲ ହେଉଛି । ଏମିତି ସ୍ଥିତିରେ ନିମାପଡ଼ା ଗଡ଼ ବଞ୍ଚାଇବାକୁ ବିଜେଡି ଆରମ୍ଭ କରିଛି ଯୋଜନା ।
ନିମାପଡ଼ା ଆସନ ଲାଗି ୮ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ଏହି ୮ ନେତାଙ୍କୁ ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି ଦଳ । ସେମାନେ ହେଉଛନ୍ତି- ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଞ୍ଜନ ବଳିଆରସିଂହ, ସଂଗ୍ରାମ ପାଇକରାୟ, କମଳ ପାତ୍ର, ସୁନୀଲ ମହାନ୍ତି ଏବଂ ଦିବାକର ପାତ୍ର ।
ନିମାପଡ଼ାରେ ଶେଷ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଥିବା ବେଳେ ଏଠାରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ନାୟକ । ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟିକେଟ୍ କାଟି ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ଦିଲ୍ଲୀପ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଛନ୍ତି ।
ବିଜେପି ନିମାପଡ଼ାରୁ ପ୍ରଭାତୀ ପରିଡ଼ାଙ୍କୁ ପ୍ରାର୍ଥୀ କରିଛି । ପ୍ରଭାତୀ ପରିଡ଼ା ନିଶ୍ଚିୟ ବିଜୟୀ ହେବେ ବୋଲି ଘୋଷଣା କରିଛନ୍ତି ସମୀର ରଞ୍ଜନ ଦାସ । ଟିକେଟ କାଟିବା ନିଷ୍ପତ୍ତି ଉପରେ ବିଚାର କରିବା ପାଇଁ ସମୀର ବିଜେଡି ଉପରେ ଚାପ ପକାଇଥିଲେ । ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ସମାବେଶ କରିଥିଲେ । ଏମିତିକି ତାଙ୍କର କିଛି ସମର୍ଥକ ଦଳ ଛାଡ଼ି ବିଜେପିରେ ମିଶିଥିଲେ, କିନ୍ତୁ ଦଳ ନିଷ୍ପତ୍ତି ବଦଳାଇ ନଥିଲା ।
ବିଜେଡି ହାତରୁ ଖସିଯିବ କି ନିମାପଡ଼ା; ୮ ନେତାଙ୍କୁ ଦାୟିତ୍ବ ଦେଲା ଦଳ
