ବାତ୍ୟା ‘ରେମାଳ’ ପଶ୍ଚିମବଙ୍ଗରେ ରଚିଲା ତାଣ୍ଡବ; ଭାଙ୍ଗିଲା ଗଛ, ଉଡ଼ିଲା ଘର ଛପର


କୋଲକାତା: ଅତି ଭୀଷଣ ରୂପ ନେଇ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟବର୍ତ୍ତି ସାଗର ଆଇଲ୍ୟାଣ୍ଡ ଏବଂ ଖେପୁପାରା ଲ୍ୟାଣ୍ଡଫଲ୍ କଲା ବାତ୍ୟା ରେମାଲ । ଭୟଙ୍କର ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ପ୍ରକୃତି ରଚିଲା ତାଣ୍ଡବ । ଗଛ ଭାଙ୍ଗିଲା, ଲୋକଙ୍କ ଘର ଛପର ଉଡ଼ିଗଲା । ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ଗଛକୁ କାଟି ସଫା କରାଯାଉଛି । ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବର୍ଷା ଲାଗି ରହିଛି ।
ଲ୍ୟାଣ୍ଡଫଲ୍ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ରେମାଲ’ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ଖୁବଶୀଘ୍ର ଏହା ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଭୀଷଣ ବାତ୍ୟା ରୂପରେ ଆରମ୍ଭ ହୋଇଥିଲା ‘ରେମାଲ’ର ଲ୍ୟାଣ୍ଡପଲ ପ୍ରକ୍ରିୟା । ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ଥିଲା । ତେବେ କିଛି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ କିମିରେ ପହଞ୍ଚିଥିଲା ।
ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ସେହିପରି ବାଂଲାଦେଶରେ ବାତ୍ୟା ଲାଗି ତଳିଆ ଅଞ୍ଚଳରୁ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।