EICଙ୍କ ଉପରେ ବର୍ଷିଲେ ପାଣ୍ଡିଆନ, କହିଲେ- ରାଜନୈତିକ ଉଦ୍ଦେଶ୍ୟ ରଖି କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ଆଇପିଏସ୍ ଅଫିସରଙ୍କ ବିରୋଧରେ ଗତକାଲି ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ EICଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଭି.କେ. ପାଣ୍ଡିଆନ । ଦୁଇ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦୁର୍ଭ୍ୟାଗ୍ୟଜନକ କହିବା ସହ ECIଙ୍କୁ ସାମାଲୋଚନା କରିବାକୁ ପଛାଇ ନାହାନ୍ତି । ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗରେ ସିଏମଓର ଦୁଇ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଆକ୍ସନ ନେଇଥିଲେ ECI ।
ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ପାଣ୍ଡିଆନ୍ କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତୃବୃନ୍ଦ ଯାହା ଚାହୁଁଛନ୍ତି, ସେ ଅନୁସାରେ ECI କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଆକ୍ସନର ସମ୍ମୁଖୀନ ହୋଇଥିବା ଦୁଇ ଅଫିସର ଓଡିଶାରେ ନକ୍ସଲବାଦକୁ ନିୟନ୍ତ୍ରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଛତିଶଗଡ଼ରେ ଏବେ ବି ନକ୍ସଲ କାର୍ଯ୍ୟକଳାପ ବନ୍ଦ ହୋଇପାରୁନାହିଁ। କିନ୍ତୁ ଓଡ଼ିଶାର ବନ୍ଦ ହୋଇଯାଇଛି । ଅଧିକାରୀମାନେ ନିଜ ଜୀବନକୁ ବାଜି ଲଗାଇ ନକ୍ସଲଙ୍କ ସହ ଲଢ଼ିଛନ୍ତି । ମାତ୍ର ଏପରି ଭଲ କାମ କରିଥିବା ଲୋକଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଆକ୍ସନ ନିଆଯାଉଛି ।
ମୁଖ୍ୟମନ୍ତ୍ରୀ କେବେ ବି କୌଣସି ଅଫିସରଙ୍କୁ ନିର୍ବାଚନୀ ପ୍ରକ୍ରିୟାରେ ବ୍ୟବହାର କରି ନାହାନ୍ତି । ବିଜେଡି ବହୁତ ଷ୍ଟ୍ରଙ୍ଗ ଅଛି, ମଜଭୁତ ଅଛି । ଆମର ଏସବୁ କରିବାର କିଛି ଆବଶ୍ୟକତା ନାହିଁ । ବିଜେପିର ଆବଶ୍ୟକତା ରହିଛି । କାରଣ ବିଜେଡି ହାତରୁ ପରାଜୟ, ବିଜେପିର ହଜମ ହେଉନାହିଁ ବୋଲି କହିଛନ୍ତି ପାଣ୍ଡିଆନ ।
ସୂଚନାଯୋଗ୍ୟ, ବିଜେଡି ପାଇଁ ରାଜନୀତି କରିବା ଅଭିଯୋଗରେ ଗତକାଲି ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ECI କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ଆଜି ଅପରାହ୍ନ ୩ଟା ସୁଦ୍ଧା ତାଙ୍କୁ ଦିଲ୍ଲୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ଫସାଇବା ଡିଏସ୍ କୁଟ୍ଟେଙ୍କୁ ମହଙ୍ଗା ପଡ଼ିଛି । ଡିଏସ କୁଟ୍ଟେଙ୍କ ବିରୋଧରେ ଥିବା ଚିଠା ଚାର୍ଜସିଟକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିଏସ କୁଟ୍ଟେଙ୍କ ବିରୋଧରେ ଚାକିରି ସର୍ତ୍ତାବଳି ଅନୁସାରେ ଆବଶ୍ୟକ ଚାର୍ଜସିଟ୍ ମେ’ ୩୦ ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଗତକାଲି ଆଇପିଏସ୍ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ଦୁଇ ଆଇପିଏସ୍ ଅଫିସର ନିର୍ବାଚନୀ ଗତିବିଧିରେ ସମ୍ପୃକ୍ତ ଥିବାର ସିଧାସଳଖ ପ୍ରମାଣ ବାରମ୍ବାର ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଥିଲା ।
ସେହିପରି ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ ପାଇଁ ଭୁବନେଶ୍ୱର ଏମସ୍ ଡାକ୍ତରଙ୍କର ଏକ ବୋର୍ଡ ଗଠନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ଏମସ ନିର୍ଦ୍ଦେଶକଙ୍କୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରି ୩୦ ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଂଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆବଶ୍ୟକ ପ୍ରକ୍ରିୟା କରିବା ସହ ସେ କେଉଁ ସବୁ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି, ତା’ର ବିସ୍ତୃତ ରିପୋର୍ଟ ମେ’ ୩୧ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।