ଉଫୁଲା ଗ୍ରାମ ରେ ପାନୀୟଜଳ ସମସ୍ୟା ର ସମାଧାନ ଦାବିରେ ବିଡିଓ ଙ୍କୁ ଗୁହାରି କଲେ ଶତାଧିକ ମହିଳା


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉଫୁଳା ଗ୍ରାମରେ ଦେଖାଦେଇଛି ପାନୀୟଜଳ ସଙ୍କଟ I ଦୀର୍ଘଦିନ ଧରି ପୁରୁଷମାନେ ସାଇକେଲ ରେ ଓ ମହିଳା ମାନେ ମୁଣ୍ଡରେ ବୋହି ପିଇବା ପାଣି ଆଣୁଥିଲେ ପ୍ରାୟ ଏକ କିଲୋମିଟର ଦୂରରୁ I କିଛି ବର୍ଷ ହେଲା ନିକଟସ୍ଥ ରଣାପାଲି ଗ୍ରାମର ବୋରୱେଲ ପଏଣ୍ଟ ରୁ ପାଇପ୍ ଲାଇନ ରେ ପାଣି ପାଉଛନ୍ତି ଗ୍ରାମବାସୀ I ଖରାଦିନ ସାଙ୍ଗକୁ ନିଅଣ୍ଟିଆ ପାଣି ଯୋଗାଣ ଏବେ ଗ୍ରାମବାସୀଙ୍କୁ ଅତିଷ୍ଟ କରି ପକାଇଛି I ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ପାନୀୟଜଳ ଠାରୁ ଆରମ୍ଭକରି ସ୍ନାନଶୌଚ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି I ତେଣୁ ସମସ୍ୟା ର ସମାଧାନ ପାଇଁ ଗ୍ରାମର ଶତାଧିକ ମହିଳା ବୀରମହାରାଜପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇଥିଲେ I ମହିଳା ମାନଙ୍କ କହିବା ଅନୁସାରେ ଦିନକୁ ଦୁଇଥର ପିଇବା ପାଣି ଯୋଗାଣ ହେଉଥିଲେ ସୁଦ୍ଧା କେତେକ ବ୍ୟକ୍ତି ଇଲେକ୍ଟ୍ରି ମୋଟର ବ୍ୟବହାର କରି ପାଣି ନିଜ ନିଜ ଘରକୁ ଉଠାଇ ନେଉଥିବାରୁ ସମସ୍ତେ ପାଣି ପାଇ ପାରୁ ନାହାନ୍ତି I ଘରକୁ ସଂଯୋଗ ହୋଇଥିବା ପାଣି ମୋଟର ନ ଲଗାଇବାକୁ ସେମାନେ ବିଡିଓଙ୍କୁ ଜଣାଇ ଥିଲେ I ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ସେମାନେ ବୀରମହାରାଜପୁର – ସୋନପୁର ମୁଖ୍ୟ ରାସ୍ତା ଅବରୋଧ କରିବେ ବୋଲି ଧମକ ଦେଇଥିଲେ l ଏ ନେଇ ବିଡିଓ ଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ଏହାର ସମାଧାନ କରାହେବ ବୋଲି କହିଥିଲେ I