ନିମାପଡ଼ା: ଦିନକ ପରେ ରାଜ୍ୟରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । କାଲି ପ୍ରଚାର ସରିବାକୁ ଥିବା ବେଳେ ଏବେ ଭୋଟରଙ୍କୁ ଲୋଭାଇବାକୁ ବଣ୍ଟା ଯାଉଛି ଟଙ୍କା । ନିମାପଡ଼ାରେ ବିଜେଡି ଟଙ୍କା ଦେଇ ଭୋଟ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ବିଜେଡିକୁ ଭୋଟ୍ ଦେବା ପାଇଁ ସମିତି ସଭ୍ୟ ବାଣ୍ଟୁଥିଲେ ଟଙ୍କା । ଲୋକେ ବିରୋଧ କରିବାରୁ ମାଡ଼ ଭୟରେ ଟଙ୍କା ଫିଙ୍ଗି ପଳାଇଗଲେ ସମିତିସଭ୍ୟ ଓ ତାଙ୍କ ସାଥୀ । ଗାଁ ଲୋକେ ୨ ଲକ୍ଷରୁ ଅଧିକ ଟଙ୍କା ଉଦ୍ଧାର କରି ପୋଲିସ୍କୁ ଦେଇଛନ୍ତି ।
ବଳଙ୍ଗା ପଞ୍ଚାୟତ ସମିତିସଭ୍ୟ ପ୍ରକାଶ ସାହୁ ଓ ତାଙ୍କ ସାଥୀ ମଙ୍ଗଳବାର ସନ୍ଧ୍ୟା ବେଳେ ଘରକୁ ଘର ବୁଲି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଆଉ ବିଜେଡିକୁ ଭୋଟ ଦେବା ପାଇଁ କହୁଥିଲେ । ଭୋଟ ପିଛା ୨ରୁ ୩ ହଜାର ଟଙ୍କା ବାଣ୍ଟୁଥିଲେ । ଅଭିଯୋଗ ଅନୁସାରେ ପ୍ରକାଶ ଗାଁର ଦୁଃଶାସନ ବେହେରାଙ୍କୁ ବିଜେଡିରେ ଭୋଟ୍ ଦେବା ପାଇଁ ଟଙ୍କା ଜାଚିଥିଲେ । ହେଲେ ସେ ଟଙ୍କା ନେବା ପାଇଁ ମନା କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
ଗାଁ ଲୋକେ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରକାଶ ଓ ତାଙ୍କୁ ସାଥୀଙ୍କୁ ଘେରିଥିଲେ । ସେହି ସମୟରେ ସେମାନେ ଚମ୍ପଟ ମାରିଥିଲେ । ହେଲେ ସେମାନେ ଦୌଡ଼ି ପଳାଇଲା ବେଳେ ୫୦୦ ଟଙ୍କିଆ ବଣ୍ଡଲ ସବୁ ରାସ୍ତାରେ ଖସି ପଡ଼ିଥିଲା । ଗାଁ ଲୋକେ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଦ୍ଧାର କରିଥିଲେ । ସେହି ସବୁ ଟଙ୍କାକୁ ନେଇ ବଳଙ୍ଗା ଥାନାରେ ଜିମା ଦେଇଥିଲେ ଗାଁ ଲୋକେ ଓ ଦୁଃଶାସନ । ପୋଲିସ ସେହି ଟଙ୍କା ଜବତ କରି ଘଟଣାର ତଦନ୍ତ କରୁଛି । ହେଲେ ଏନେଇ ପୋଲିସ କିମ୍ବା ସମିତି ସଭ୍ୟଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ଟଙ୍କା ବାଣ୍ଟିବାକୁ ନେଇ ଦୁଃଶାସନ ବେହେରା କହିଛନ୍ତି, ବିଜେଡିରେ ଭୋଟ୍ ଦେବା ପାଇଁ ପ୍ରକାଶ ସାହୁ ଓ ରାଜୀବ ପୃଷ୍ଟି ଗାଁରେ ଟଙ୍କା ବାଣ୍ଟୁ ଥିଲେ । ଭୋଟ୍ ପିଛା ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଦେଉଥିଲେ । ମେତେ ଟଙ୍କା ଜାଚୁଥିବା ବେଳେ ମୁଁ ମନା କରିଥିଲି । ମୁଁ ସେମାନଙ୍କଠାରୁ ଟଙ୍କା ନେଲିନି । ଆମେ ଟଙ୍କା ନେଇ ଭୋଟ ଦେଇପାରିବୁ ନାହିଁ ବୋଲି କହିଥିଲି । ସେହି ସମୟରେ ସାହି ପିଲା ତାଙ୍କୁ ବିରୋଧ କରିଥିଲେ । ଯାହାଫଳରେ ସେମାନେ ଦୌଡ଼ି ପଳାଇ ଯାଇଥିଲେ । ହେଲେ ସେମାନଙ୍କ ପାଖରେ ଥିବା ଟଙ୍କା ଗଳି ପଡ଼ିଥିଲା ।
ବିଜେଡି ପାଇଁ ଟଙ୍କା ବାଣ୍ଟୁଥିବା ବେଳେ ସମିତିସଭ୍ୟଙ୍କୁ ଗୋଡ଼ାଇଲେ ଲୋକେ
