ଭୁବନେଶ୍ବର ଏମ୍ସର ୬ ଜଣିଆ ଟିମ୍ ଯାଞ୍ଚ କରିବେ ଆଶୀଷ ସିଂଙ୍କ ସ୍ବାସ୍ଥ୍ୟ


ଭୁବନେଶ୍ବର: ୨୦୧୦ ବ୍ୟାଚ୍ ଆଇପିଏସ ଆଶୀଷ କୁମାର ସିଂଙ୍କୁ ମହଙ୍ଗା ପଡିଛି ବିଜେଡି ପାଇଁ ରାଜନୀତି କରିବା । ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଓ ନିର୍ଦ୍ଦେଶ ଆଧାରରେ ଆଶୀଷଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଭୁବନେଶ୍ୱର ଏମସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଜି ୬ ଜଣିଆ କମିଟି ଗଠନ ହୋଇଛି । ଏହି ମେଡିକାଲ ବୋର୍ଡ ପାଖରେ ଆଶୀଷ ଗୁରୁବାର ହାଜର ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ।

ସୂଚନା ଅନୁସାରେ, ଭୁବନେଶ୍ୱର ଏମସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଡାକ୍ତରୀ ବୋର୍ଡ ଗଠନ ହୋଇଛି । ଏହି ବୋର୍ଡରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ରହିଛନ୍ତି । ସମ୍ପୃକ୍ତ ଡାକ୍ତରୀ ବୋର୍ଡ ଆଇପିଏସ୍ ଆଶୀଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ୩୧ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବ । ରିପୋର୍ଟ ମିଳିବା ପରେ ନିର୍ବାଚନ କମିଶନ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଛି । ବିଜେଡି ସପକ୍ଷରେ ନିର୍ବାଚନ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତି ପାଇଁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ନିର୍ବାଚନ କମିଶନ ନିଲମ୍ବିତ କରିବା ସହ ଦିଲ୍ଲୀ ବଦଳି କରିସାରିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଅବାଧ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗତ ଏପ୍ରିଲ ୨ତାରିଖରେ ଆଶୀଷଙ୍କୁ କେନ୍ଦ୍ରାଂଚଳ ରେଞ୍ଜ ପୋଲିସ ଆଇଜି ପଦରୁ ହଟାଇ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ତାଙ୍କୁ ଆଇଜି (ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଭାବେ ନିଯୁକ୍ତି ଦେଇଥିଲେ । ନିର୍ବାଚନ କମିଶନଙ୍କ ତାଗିଦ୍ ଓ ବଦଳି ନିର୍ଦ୍ଦେଶ ପରେ ବି ଆଶୀଷ ବିଜେଡି ସପକ୍ଷରେ କାର୍ଯ୍ୟ ଜାରି ରଖିଥିବା ଅଭିଯୋଗରେ ଏପ୍ରିଲ ୫ ତାରିଖରେ ବିଜେପି ପକ୍ଷରୁ ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ପୁଣି ଥରେ ତାଙ୍କ ବିରୋଧରେ ଲିଖିତ ଫେରାଦ ହୋଇଥିଲା ।

ତେବେ ସେ ସବୁକୁ ଖାତିର ନକରି ଆଶୀଷ ବିଜେଡିର ନିର୍ବାଚନୀ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ଥିବାର ଖବର ଆସିବା ପରେ ନିର୍ବାଚନ କମିଶନ ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ । ଯେଉଁଥି ପାଇଁ ଆଶୀଷ ମେ’ ୪ତାରିଖରେ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ରହିଥିଲେ ।