କନ୍ୟାକୁମାରୀ: ବଜି ସରୁଛି ଦେଶରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୮ ଘଣ୍ଟିଆ ଧ୍ୟାନରେ ବସିବାକୁ ଯାଉଛନ୍ତି । କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ୍ରେ ସେ ଏହି ଧ୍ୟାନ କରିବେ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଧ୍ୟାନରେ ଥିବା ବେଳେ ତାଙ୍କ ସୁରକ୍ଷାରେ ୨ ହଜାର ପୋଲିସ କର୍ମୀଚାରୀ ରହିବେ । ଏହାସହ ବିଭିନ୍ନ ସୁରକ୍ଷା ଏଜେନ୍ସି କଡା ନଜର ରଖିବେ । ସୁରକ୍ଷା ଦୃଷ୍ଟିରୁ ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ । ଏହାସହ ବ୍ୟକ୍ତିଗତ ଡଙ୍ଗାଗୁଡ଼ିକୁ ମଧ୍ୟ ଚଳାଇବାକୁ ଅନୁମତି ଦିଆଯିବ ନାହିଁ ।
ସେପଟେ ମୋଦିଙ୍କ ଏହି ଆଧ୍ୟାତ୍ମିକ ଯାତ୍ରାକୁ ନେଇ ବିରୋଧୀ ଟାର୍ଗେଟ୍ କରିଛନ୍ତି । ମୋଦିଙ୍କ ଧ୍ୟାନମୁଦ୍ରାର ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଯେପରି ପ୍ରସାରଣ କରା ନ ଯିବ, ତାହା ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ବୁଧବାର ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରସ୍ଥ ହୋଇଛି ।
କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ୱାଲା, ଅଭିଷେକ ମନୁ ସିଂଘଭି ଓ ସୟେଦ ନାସିର ହୁସେନ୍ ଇସିଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ଗତ କିଛିଦିନ ମଧ୍ୟରେ ବିଜେପି ପକ୍ଷରୁ ୨୭ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି ।
ମୋଦିଙ୍କ ବାରାଣସୀ ସଂସଦୀୟ ଆସନରେ ଭୋଟ ଗ୍ରହଣର ଦିନକ ପୂର୍ବରୁ କନ୍ୟାକୁମାରୀର ଧ୍ୟାନ ମଣ୍ଡପରେ ଧ୍ୟାନ କାର୍ଯ୍ୟକ୍ରମ ସାଇଲେନ୍ସ ପିରିୟଡ୍ର ଖୋଲା ଉଲ୍ଲଂଘନ ବୋଲି କଂଗ୍ରେସ କହିଛି । ସେହିପରି ମୋଦିଙ୍କ ଧ୍ୟାନ ବେଳର ଦୃଶ୍ୟ ଟିଭିରେ ଦେଖାଇଲେ, ତୃଣମୂଳ କଂଗ୍ରେସ ମଧ୍ୟ ଇସିଙ୍କ ନିକଟରେ ଅଭିଯୋଗ କରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।
ଅନ୍ୟପଟେ ତାମିଲନାଡୁର ଶାସକ ଦଳ ଡିଏମକେ ପ୍ରଧାନମନ୍ତ୍ରୀଙ୍କ ଆଧ୍ୟାତ୍ମିକ ଗସ୍ତକୁ ଅନୁମତି ନଦେବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଛି । ଏଥିରେ ସେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଙ୍ଘନ ବିଷୟରେ ଉଲ୍ଲେଖ କରିଛନ୍ତି । ଡିଏମକେ କହିଛି, ନିର୍ବାଚନ ସରିବା ପରେ ମଧ୍ୟ ମୋଦି ଧ୍ୟାନରେ ବସି ପାରିଥାନ୍ତେ । ଏହା ଏକ ପବ୍ଲିକ ଷ୍ଟଣ୍ଟ । ଲୋକଙ୍କୁ ପ୍ରାଭବିତ କରି ଭୋଟ ହାତେଇବା ପାଇଁ ସେ ଏଭଳି କରୁଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ,ଏହା ପୂର୍ବରୁ ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶିବାଜୀ ମହାରାଜଙ୍କ ପ୍ରତାପଗଡ଼ ଦୁର୍ଗରେ ଧ୍ୟାନସ୍ଥ ହୋଇଥିଲେ । ସେହିପରି ୨୦୧୯ରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ କେଦାରନାଥରେ ଧ୍ୟାନସ୍ଥ ହୋଇଥିଲେ ।