ବୀରମହାରାଜପୁର : (ସୌମିତ୍ରି ମେହେର)
ସୋନପୁର- ସମ୍ବଲପୁର ମୁଖ୍ୟ ରାସ୍ତା ର ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଛକ ଉପରେ ଜଳଖିଆ ଦୋକାନ କରି ପେଟ ପୋସୁଥିବା ଏକ ଯୁବକକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି I ମୃତକ ହେଲେ ବିନିକା ଥାନା ରହିଲା ଗ୍ରାମର ଗଣେଶ ଦାଶ I ସେ ଦୀର୍ଘ ବର୍ଷ ଧରି ଅଇଁଲାଛାଟ ଗ୍ରାମ ସ୍ଥିତ ଶ୍ବଶୁର ନରସିଂହ ମଲ୍ଲିକ ଙ୍କ ଘରେ ରହି ଅଇଁଲାଛାଟ ଛକ ଉପରେ ଏକ ଜଳଖିଆ ଦୋକାନ ଖୋଲିଥିଲେ I ବୁଧବାର ମଧ୍ୟାହ୍ନରେ ଗଣେଶ ଓ ଅଇଁଲାଛାଟ ଗ୍ରାମ ଉମେଶ ରଣା ଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା I ସ୍ଥାନୀୟ ଲୋକେ ଉଭୟଙ୍କୁ ବୁଝାସୁଝା କରି ଛଡ଼ାଇ ଦେଇଥିଲେ I କିଛି ସମୟ ପରେ ପୁଣି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଉମେଶ ଙ୍କ ଠେଙ୍ଗା ମାଡରେ ଗଣେଶ ର ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଥିବା ବେଳେ ପରିବାର ଲୋକେ ତାକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ସେଠାରେ ଡ଼ାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗଣେଶ କୁ ମୃତ ଘୋଷଣା କରିଥିଲେ I ଗଣେଶ ଙ୍କୁ ହତ୍ୟା କରାଯାଇଥିବା ନେଇ ଉଲୁଣ୍ଡା ଥାନାରେ ତାଙ୍କ ସ୍ତ୍ରୀ ଯଶୋବନ୍ତୀ ଲିଖିତ ଅଭିଯୋଗ କରିଛନ୍ତି l ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ସହିତ ତଦନ୍ତ ଚାଲୁ ରଖିଛି I