ସକାଳୁ ଅଥୟ କଲାଣି ତାତି: ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା, ଉପକୂଳରେ ଅସହ୍ୟ ଗୁଳୁଗୁଳି


ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ତାତି । ସକାଳୁ ସକାଳୁ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ କରୁଛି କଲବଲ । ସକାଳ ସାଢ଼େ ୮ଟା ସୁଦ୍ଧା ୩୯ ଡିଗ୍ରୀ ସେଲସିୟସ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗୀର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି । ହୀରାକୁଦରେ ୩୬.୪ , ସମ୍ବଲପୁରରେ ୩୬.୨, ରାଉରକେଲାରେ ୩୫.୪, ବରଗଡରେ ୩୫.୪, ସୁନ୍ଦରଗଡରେ ୩୪ ଡିଗ୍ରୀ ଓ ତାଳଚେରରେ ତାଳଚେରରେ ୩୪.୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି।

ରାଜଧାନୀରେ ମଧ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ତାପମାତ୍ରା ୩୧ ଡିଗ୍ରୀ ଥିବା ବେଳେ ଆର୍ଦ୍ରତା ୮୭ ପ୍ରତିଶତ ରହିଛି, ଯାହା ଗୁଳୁଗୁଳିର କାରଣ ପାଲଟିଛି । ଗତକାଲି ବଲାଙ୍ଗୀରରେ ସର୍ବାଧିକ ୪୬.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଗତ ତିନିଦିନ ଭିତରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି ।

କେବଳ ଓଡ଼ିଶା ନୁହେଁ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିଲ୍ଲୀରେ ଗତକାଲି ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିବା ବେଳେ ଆଜି ବି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ରାଜଧାନୀରେ ଆକାଶ ସାମାନ୍ୟ ମେଘୁଆ ଥିବା ବେଳେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ସଂସ୍ଥା ଆକଳନ କରିଛି । ଆଜି ପାଇଁ ଦିଲ୍ଲୀକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଆଜି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ହେବା ସହ ଗୁଳୁଗୁଳି ହେବ ଓ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗତକାଲିଠୁ ସତର୍କ ସୂଚନା ଜାରି କରି ସାରିଛି । ଆଜି ଦିନ ଅପେକ୍ଷା ରାତିରେ ଗୁଳୁଗୁଳି ଅଥୟ କରିବ । ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।