ଭୁବନେଶ୍ବରରୁ ଯାଇ ଉଦଳାରେ ଟଙ୍କା ବାଣ୍ଟିବା ବେଳେ ବନ୍ଧା ହେଲେ ବିଜେଡି ନେତ୍ରୀ

ବାରିପଦା: ଟଙ୍କା ପ୍ରଲୋଭନ ଦେଖାଇ ବିଜେଡି ଭୋଟ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ । ଟଙ୍କା ବାଣ୍ଟିବା ବେଳେ ଧରାପଡିଗଲେ ବିଜେଡି ନେତ୍ରୀ ଓ ତାଙ୍କ ସାଥୀ । ଗାଁ ଲୋକେ ଧରି ଦେଲେ ପୋଲିସ ଜିମା । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀ ଗୁଧିମରା ଗାଁରେ । ପ୍ରଚାର ଚାଲିଥିବା ବେଳେ ଭୁବନେଶ୍ବରରୁ ଯାଇଥିବା ବିଜେଡି ନେତ୍ରୀ ଓ ତାଙ୍କ ସାଥୀ ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ । ଏହି ଧଳା ଲଫାପା ଭିତରେ ଥିଲା ୨ ହଜାର ଲେଖାଏଁ ଟଙ୍କା । ଗାଁ ଲୋକେ ବିଜେଡି ନେତ୍ରୀ ଓ ତାଙ୍କ ସାଥୀଙ୍କୁ ପୋଲିସ ଜିମା ଦେବା ପରେ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଟଙ୍କା ଓ ବିଜେଡି ଟି-ସାର୍ଟ ଜବତ କରାଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା ବୁଧବାର ରାତିରେ ଉଦଳା ନିର୍ବାଚନ ମଣ୍ଡଳୀର ଗୁଧିମରା ଗାଁରେ ପହଞ୍ଚି ଥିଲେ । ସେମାନେ ଦୁଇଟି ଗାଡ଼ିରେ ଯାଇଥିଲେ । ଗାଁରେ ଘରକୁ ଘର ବୁଲି ଟଙ୍କା ବାଣ୍ଟୁଥିଲେ । ଆଉ ବିଜେଡିକୁ ଭୋଟ୍ ଦେବା ପାଇଁ କହୁଥିଲେ । ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ଉଦଳା ଥାନାକୁ ଖବର ଦେଇଥିଲେ । ବିଜେଡିକୁ ଭୋଟ ଦେବା ପାଇଁ ଟଙ୍କା ବଣ୍ଟୁଥିବା ନେଇ ଅଭିଯୋଗ କରିଥିଲେ ।
ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ୍ ଗାଁରେ ପହଞ୍ଚିଥିଲା । ଏଠାରେ କ’ଣ କରୁଛ ବୋଲି ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନାଙ୍କୁ ପଚାରିଥିଲା ପୋଲିସ୍ । ତେବେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ । ଯେଉଁଥି ପାଇଁ ପୋଲିସ୍ ସେମାନଙ୍କୁ ହେପାଜତକୁ ନେଇଥିଲା । ଏଥିସହ ଗାଡି ଦୁଇଟିକୁ ଜବତ କରିଥିଲା । ଗାଡ଼ି ଯାଞ୍ଚ ବେଳେ ସେଥିରୁ ୨ଟି ବ୍ୟାଗ୍ ମିଳିଥିଲା । ଯେଉଁଥିରେ ୫୦ରୁ ଊର୍ଦ୍ଧ୍ୱ ଧଳା ଲଫାପା ଥିଲା । ପ୍ରତି ଲଫାପାରେ ୨ ହଜାର ଲେଖାଏଁ ଟଙ୍କା ରହିଥିଲା । ଏଥିସହ ଗାଡ଼ି ଭିତରୁ ଆଉ କିଛି ନଗଦ ଟଙ୍କା ମଧ୍ୟ ମିଳିଥିଲା । ପୋଲିସ୍ ଗାଡ଼ିରୁ ୧ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଥିଲା । ଏଥିସହ କିଛି ବିଜେଡି ଷ୍ଟିକର ଓ ଟି-ସାର୍ଟ ମିଳିଥିଲା । ଯେଉଁ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ଉଦଳା ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କ ଫଟୋ ଥିଲା ।
ପୋଲିସ ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନାଙ୍କୁ ଗିରଫ କରିଥିବା ବେଳେ ୨ ଗାଡ଼ିର ଚାଳକଙ୍କୁ ଅଟକ ରଖିଛି । ଏଥିସହ ଗାଡ଼ି ଦୁଇଟିକୁ ଜବତ କରିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଏନେଇ ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ ।