ବାହାନଗା ଟେନ ଟ୍ରାଜେଡିକୁ ପୂରିଲା ବର୍ଷା; ଆଜି ବି ମନେ ପଡ଼େ ସେହି କାଳ ରାତିର କରୁଣ କାହାଣୀ


ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ବର୍ଷେ ପୂରିଛି । ଆଜିର ଦିନ ୨ ଜୁନ୍ ୨୦୨୩ ସନ୍ଧ୍ୟାରେ ଘଟିଥିଲା ଲୋମ ଟାଙ୍କୁରା ଟ୍ରେନ୍ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ୩ଟି ଟ୍ରେନ୍ aଧ୍ୟରେ ହୋଇଥିଲା ଧକ୍କା । ଦୁର୍ଘଟଣାରେ ୨୮୮ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେହି କାଳ ରାତିକୁ ପୂରିଛି ବର୍ଷେ । ହେଲେ ଆଜି ବି ଜୀବନ୍ତ ଅଛି ସେହି କାଳ ରାତିର ଛାତିଥରା ଦୃଶ୍ୟ ।

ଦୁର୍ଘଟଣାରେ କିଏ ବାପା କୁ ହରାଇ ଥିଲା ତ କିଏ ମାଆ । କିଏ ବାପାମାଆକୁ ହରାଇ ହୋଇଯାଇଥିଲା ଅନାଥ । କାହା ମୁଣ୍ଡରୁ ସିନ୍ଦୁର ଲିଭି ଯାଇଥିଲା ତ ଆଉ କିଏ ଜନ୍ମ କଲା ପିଲାକୁ ହରାଇ ହୋଇଯାଇଥିଲା ସର୍ବ ହରା । ସେ ଦିନ ଦୁର୍ଘଟଣା ସମୟରେ ବିକଟାଳ ଗର୍ଜନ ଓ ଯାତ୍ରୀଙ୍କ କରୁଣ ଚିତ୍କାର କେବଳ ଓଡ଼ିଶା ନୁହେଁ ସାରା ଦେଶକୁ ଦୋହଲାଇ ଦେଇଥିଲା । ରାତିର କିଟ କିଟି ଅନ୍ଧାରେ ଟ୍ରକ ଓ ବଗି ପାଖରେ ଯାତ୍ରୀଙ୍କ ପାଖରେ ତୁରନ୍ତ ପହଞ୍ଚି ଯାଇଥିଲେ ସ୍ଥାନୀୟ ଲୋକେ । କାଳ ବିଳମ୍ବ ନକରି ସେମାନେ ଯାତ୍ରୀଙ୍କ ଉଦ୍ଧାର ଆରମ୍ଭ କରି ଦେଇଥିଲେ । ଦୁର୍ଘଟଣା ସ୍ଥଳରେ ସେତେ ଯେମିତି ଲାଗିଥିଲା ଶବର ପାହାଡ଼ । ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଥିଲା ।

ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ରେଳବାଇର ଖଡ଼ଗପୁର ରେଳ ଡିଭିଜନ ଅନ୍ତର୍ଗତ ବାଲେଶ୍ବର ଜିଲ୍ଲା ବାହାନଗାଠାରେ ସନ୍ଧ୍ୟା ୬ଟା ୪୦ରେ ଘଟିଥିଲା ଦୁର୍ଘଟଣା । ୨ ନମ୍ବର ଟ୍ରାକରେ ଯାଉଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ପ୍ରଥମେ ଉକ୍ତ ଟ୍ରାକରେ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ଏହି ଧକ୍କାଟି ଏତେ ଭୟଙ୍କର ଥିଲା ଯେ ଅନ୍ୟ ଏକ ଟ୍ରାକରେ ଆସୁଥିବା ଯଶୋବନ୍ତପୁର ହାଓ୍ବଡା ଏକ୍ସପ୍ରେସ ଟ୍ରେନର ଶେଷ ଦୁଇଟି ବଗିରେ ବାଜିଥିଲା । ଯାହାକି ଦୀର୍ଘ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲା । ଫଳରେ ବଗି ଉପରେ ବଗି ଚଢ଼ିଯାଇଥିଲା । ଏପରିକି ରେଳ ଟ୍ରାକରୁ ବଗି ଛିଟିକି ଯାଇ ନୟନଯୋଡିକୁ ପଡ଼ିଥିବାବେଳେ ବହୁ ଯାତ୍ରୀ ସେଥିରେ ଚାପି ହୋଇ ରହିଯାଇଥିଲେ । ଏହି ଦୁର୍ଘଟଣାରେ ପାଖାପାଖି ୧୭ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ସମେତ ବହୁ ନେତା ମନ୍ତ୍ରୀ ଓ ରେଳ ବିଭାଗର ବରିଷ୍ଠ କର୍ମକର୍ତ୍ତା ପହଞ୍ଚିଥିଲେ । ଏନଡିଆରଏଫ, ଓଡ୍ରାଫ, ଓଡ଼ିଶା ପୋଲିସ ସମେତ ସ୍ଥାନୀୟ ଅଞ୍ଚଳର ଶହ ଶହ ସ୍ବେଚ୍ଛାସେବୀ ୨ ଦିନ ଧରି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ପ୍ରାୟ ୮୦ରୁ ଅଧିକ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ବାଲେଶ୍ବର, ଭଦ୍ରକ, ସୋର, କଟକ ବଡ଼ ଡାକ୍ତରଖାନା, ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ଏମସରେ ଭର୍ତ୍ତି କରାଯାଇଥିଲା । ଆହତଙ୍କୁ ରକ୍ତ ଦେବା ପାଇଁ ବିଭିନ୍ନ ଡାକ୍ତରଖାନାରେ ସାଧାରଣ ଲୋକଙ୍କ ଧାଡ଼ି ଲାଗିଥିଲା । ଏତେ ବଡ଼ ବିପର୍ଯ୍ୟୟ ସମୟରେ ଓଡ଼ିଆ ଲୋକମାନଙ୍କ ଏହି ମଣିଷପଣିଆ ସାରା ଦେଶ ପାଇଁ ଉଦାହରଣ ସାଜିଥିଲା । ରେଳ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୨ ମାସ ଧରି ଯାତାୟାତ ଠପ୍ ହୋଇଯାଇଥିଲା ।