ବିଜେପି କର୍ମୀଙ୍କ ବାପାଙ୍କ ଉପରେ ଗାଡି ଚଢ଼ାଇ ବିଜେଡି କର୍ମୀ ହତ୍ୟା କରିଥିବା ଅଭିଯୋଗ

କେନ୍ଦ୍ରାପଡ଼ା: ନିର୍ବାଚନ ସରିଲା, ହେଲେ ରାଜନୈତିକ ହିଂସା ଓଡ଼ିଶାରେ ଥମିବାର ନାଁ ନେଉନି । ୪ଟି ପର୍ଯ୍ୟାୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଗତକାଲି ଶେଷ ପର୍ଯ୍ୟାୟ ମତଦାନ ବେଳେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ରାଜନୈତିକ ହିଂସାର ଖବର ଆସିଥିଲା । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତକ ଜଣଙ୍କ ହେଲେ ପୁରୁଷୋତ୍ତମ ସ୍ୱାଇଁ ।
ଗୁରୁତର ଅବସ୍ଥାରେ ପୁରୁଷୋତ୍ତମଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ପହଞ୍ଚି ମୃତକଙ୍କ ପରିବାରକୁ ଆଶ୍ୱାସନା ଦେବା ସହ ସମବେଦନା ଜଣାଇଥିଲେ । ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି । ଅନ୍ୟପଟେ ଏ ଘଟଣାରେ ବିଜେଡି କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ପୁଅ ମୁକୁଞ୍ଜବନ ସ୍ୱାଇଁ ବିଜେପିର ଯମପଡ଼ା ପଞ୍ଚାୟତ ସଭାପତି ଅଛନ୍ତି । ମତଦାନକୁ ନେଇ ଗତକାଲି ସକାଳ ୧୦ଟା ବେଳେ କିଛି ବିଜେଡି କର୍ମୀଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା । ସେମାନେ ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ । ତେବେ ଉପସ୍ଥିତ ଭୋଟର ଉଭୟ ପକ୍ଷକୁ ଶାନ୍ତ କରିଥିଲେ । ପରେ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଗାଁର ଟିଟୁଆ ସାମଲ, ମିଟୁଆ ସାମଲ, ବାଇଧର ସାମଲ, ସନ୍ତୋଷ ବିଶ୍ୱାଳ ଓ ପ୍ରମୋଦ ରାଉତ ପ୍ରମୁଖ ତାଙ୍କୁ ମାଡ଼ ମାରି ତାଙ୍କ ମୁହଁ ଓ କାନ ଫଟାଇ ଦେଇଥିଲେ । ପରେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ତାଙ୍କ ବାପା ଘର ପାଖରେ ଛିଡ଼ା ହୋଇଥିବା ବେଳେ ଅମର ପରିଡ଼ା ବାଇକ୍ରେ ଆସି ତାଙ୍କ ବାପାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ।