ରାଉରକେଲାରେ ଅଂଶୁଘାତ ନେଲାଣି ୧୦ ଜୀବନ


ରାଉରକେଲା: ଅସହ୍ୟ ତାତିକୁ ଗୁଳୁଗୁଳି ଲୋକଙ୍କୁ କରୁଛି କଲବଲ । ଦିନ ୮ଟା ପରେ ଘରୁ ବାହାରିବା ବି ଅସମ୍ଭବ । ଏତିକି ସ୍ଥିତିରେ ବଢ଼ିବାରେ ଲାଗିଛି ଅଂଶୁଘାତ ଜନିତ ମୃତ୍ୟୁ । କେବଳ ରାଉରକେଲାରେ ଅଂଶୁ ଘାତରେ ୧୦ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ଏନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହାଇଟେକ୍ ହସ୍ପିଟାଲରେ ୫ ମୃତ୍ୟୁବରଣ କରିଛନ୍ତି ।

ଅଂଶୁଘାତରେ ଆକ୍ରାନ୍ତ ହୋଇ ୩୩ ଜଣ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ହାଇଟେକ୍ ହସ୍ପିଟାଲରେ ୪ ଜଣ ଓ ଜୟ ପ୍ରକାଶ ହସ୍ପିଟାଲରେ ୪ ଜଣ ଚିକିତ୍ସିତ ହେଉଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାକୁ ଆସିବା ପୂର୍ବରୁ ୮ ଜଣ ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ରାଉରକେଲା ସରକାରୀ ଡାକ୍ତରଖାନାରେ ଅଂଶୁଘାତରେ ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ସମସ୍ତ ଚିକିତ୍ସା ସୁବିଧା ମାଗଣାରେ ଯୋଗାଇ ଦିଆଯିବା ସହ ଅଧିକ ବେଡ ପ୍ରସ୍ତୁତ କରି ରଖାଯାଇଛି । ଅଂଶୁଘାତ ଆକ୍ରାନ୍ତରେ ମୃତ୍ୟୁ ଘଟଣାରେ ତିନୋଟି ଟିମ ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତିନି ଜଣିଆ ଷ୍ଟେଟ ଟିମ, ଜଣିକିଆ ସେଣ୍ଟ୍ରାଲ ଟିମ ଓ ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜର ତିନି ଜଣ ବରିଷ୍ଠ ଡାକ୍ତର ଘଟଣାର ଯାଞ୍ଚ କରୁଛନ୍ତି ।