ଦୁଇଦିନ ହେଲା ଡାକ୍ତର ନିଖୋଜ; ପୁଅକୁ ଫେରାଇ ଆଣିବାକୁ ବାପାଙ୍କ ଆକୁଳ ନିବେଦନ


ମାଲକାନଗିରି: ଦୁଇଦିନ ହେଲା ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ନିଖୋଜ । ଘରୁ ମିଳିଛି ମାସବାଦୀଙ୍କ ହାତ ଲେଖା ଚିଠି । ଦୁଇଦିନ ହେଲା ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ । ପୁଅକୁ ଫେରାଇ ଆଣିବାକୁ ତାଙ୍କ ବାପା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପୋଲିସ ପାଖରେ ଆକୁଳ ନିବେଦନ କରିଛନ୍ତି ।

ଅମ୍ଲାନଙ୍କ ବାପା କହିଛନ୍ତି, ‘ମୋ ପୁଅକୁ  ପୁଅକୁ ଅପହରଣ କରାଯାଇଛି । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ମୋ ପୁଅକୁ ସୁରକ୍ଷିତ ଫେରାଇ ଆଣନ୍ତୁ ।’

ଶନିବାର ରାତିରେ ଦୁର୍ବୃତ୍ତମାନେ ଡାକ୍ତର ଅମ୍ଳାନ ଭୋଇଙ୍କୁ ସରକାରୀ କ୍ୱାର୍ଟର୍ସରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ତାଙ୍କର କୌଣସି ଖୋଜଖବର ନଥିବା ବେଳେ, କିଏ ଓ କାହିଁକି ତାଙ୍କୁ ଅପହରଣ କଲା ତାହା ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଏତଲା ପରେ କାଲିମେଳା ପୋଲିସ ଖୋଳାତାଡ଼ ଆରମ୍ଭ କରିଛି । ପୋଲିସ ଅମ୍ଳାନଙ୍କ ରୁମ୍‌ରୁ ଏକ ଚିଠି ଜବତ କରିଛି ।

ଅମ୍ଳାନଙ୍କ ପରିବାର ଲୋକେ ଅପହରଣ ନେଇ କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି । ସୁରକ୍ଷିତ ଭାବେ ଅମ୍ଳାନଙ୍କୁ ଫେରାଇ ଆଣିବା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

ଗତ ଦୁଇ ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କର ବଚସା ହୋଇଥିଲା । ଏହି ଅପହରଣ ପଛରେ ସେମାନଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ଘଟଣା ପଛରେ ନକ୍ସଲଙ୍କ ସଂପୃକ୍ତି ଥିବା ବି ଚର୍ଚ୍ଚା ହେଉଛି । ତେବେ ଏନେଇ ପୋଲିସ କି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ । ଅମ୍ଳାନ ଘର କନ୍ଧମାଳ ଜିଲ୍ଲାରେ ବୋଲି ଜଣାପଡିଛି ।