ଉପନିର୍ବାଚନରେ ପାସ୍ ହୋଇଥିଲେ, ନିର୍ବାଚନରେ ଫେଲ୍


ଭୁବନେଶ୍ବର: ୨୦୧୯ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡିର ପ୍ରଦୀପ ମହାରଥୀ, କିଶୋର ମହାନ୍ତି, ନବ କିଶୋର ଦାସ, ବିଜୟ ରଞ୍ଜ ସିଂହ ବରିହା ଓ ବିଜେପିର ବିଷ୍ଣୁ ଚରଣ ସେଠୀ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେମାନଙ୍କର ପରଲୋକ ହୋଇଯାଇଥିଲ। ଫଳରେ ସେମାନେ ଜିତିଥିବା ଆସନରେ ହୋଇଥିଲା ଉପନିର୍ବାଚନ । ଏଥିରେ କାହାର ପୁଅ ତ କାହାର ଝିଅ ଆଉ କାହାର ପତ୍ନୀ ମୈଦାନକୁ ଓହ୍ଲାଇ ଥିଲେ । ଏହି ସବୁ ଉପନିର୍ବାଚନରେ ଏମାନେ ବୃହତ ବିଜୟ ହାସଲ କରିଥିଲେ । ହେଲେ ୨୦୨୪ ସାଧାରଣ ନିର୍ବାଚନରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ପରାଜିତ ହୋଇଛନ୍ତି । ଆସନ୍ତୁ ଜାଣିବା, ୧୯ ଉପନିର୍ବାଚନରେ ଜିତିଥିବା ଏହି ନେତା ଓ ନେତ୍ରୀଙ୍କର ୨୪ ନିର୍ବାଚନରେ କ’ଣ ହେଲା ?

ପିପିଲିରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ । ୨୦୧୯ରେ ମଧ୍ୟ ଜିତିଥିଲେ । ତେବେ କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ତାଙ୍କର ପରଲୋକ ହୋଇଯାଇଥିଲା । ୨୦୨୧ରେ ଏଠାରେ ଉପନିର୍ବାଚନ ହୋଇଥିଲା । ଏଥିରେ ବିଜେଡି ତରଫରୁ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେ ୨୦ ହଜାରରୁ ଅଧିକ ଭୋଟ୍‌ରେ ଜିତିଥିଲେ । ହେଲେ ୨୦୨୪ ନିର୍ବାଚନରେ ରୁଦ୍ର ମହାରଥୀ ପରାସ୍ତ ହୋଇଛନ୍ତି । ସେ ୮୪,୧୪୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ ୯୯,୩୧୦ ଖଣ୍ଡ ଭୋଟ୍ ପାଇଛନ୍ତି । ଅର୍ଥାତ୍ ରୁଦ୍ର ୧୫,୧୬୨ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି ।

୨୦୧୯ରେ ବ୍ରଜରାଜନଗର ବିଧାନସଭା ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ କିଶୋର କୁମାର ମହାନ୍ତି । ତାଙ୍କର ପରଲୋକ ପରେ ୨୦୨୨ରେ ଏହି ଆସନରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ପ୍ରାର୍ଥୀ ହୋଇଥିବା ଅଳକ ପରାସ୍ତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କଠାରୁ ସେ ୨୬ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଛନ୍ତି । ସୁରେଶଙ୍କୁ ୮୨,୧୯୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅଳକାଙ୍କୁ ୫୫,୪୧୦ ଖଣ୍ଡ ଭୋଟ୍ ମିଳିଛି ।

୨୦୧୯ରେ କଂଗ୍ରେସ ଛାଡ଼ି ବିଜେଡି ଟିକେଟରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ନବ କିଶୋର ଦାସ । ୨୦୨୩ରେ ତାଙ୍କୁ ହତ୍ୟା କରାଯିବା ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ତାଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିଲା । ସେ ୪୮ ହଜାରରୁ ଅଧିକ ଭୋଟ୍‌ରେ ଜିତିଥିଲେ । ୨୦୨୪ରେ ପୁଣି ପ୍ରାର୍ଥୀ ହୋଇଥିବା ଦୀପାଳିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଦୀପାଳି ୮୯ ହଜାର ୭୭୨ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ୯୧ ହଜାର ୧୦୫ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ।

ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ୨୦୨୨ରେ ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଏଥିରେ ବିଜେପି ତରଫରୁ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରାର୍ଥୀ କରାଯାଇଥିଲା । ସେ ଏଥିରେ ବିଜୟୀ ହୋଇଥିଲେ । ଏଥର ବିଧାନସଭା ନିର୍ବାଚନରେ ବିଜେପି ପୁଣି ଥରେ ତାଙ୍କୁ ଧାମନଗର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସଂଜୟ କୁମାର ଦାସଙ୍କୁ ସେ ୮ ହଜାର ଭୋଟ୍‌ରେ ପରାସ୍ତ କରିଛନ୍ତି ।

ସେହିପରି ୨୦୧୯ରେ ପଦ୍ମପୁର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକ ପରେ ୨୦୨୨ରେ ହୋଇଥିଲା ଉପନିର୍ବାଚନ । ଦଳ ପକ୍ଷରୁ ତାଙ୍କ ଝିଅ ବର୍ଷା ସିଂହ ବରିହା ପ୍ରାର୍ଥୀ ହୋଇଥିଲେ ଓ ବିଜୟୀ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପୁଣି ଥରେ ତାଙ୍କୁ ପଦ୍ମପୁରରୁ ପ୍ରାର୍ଥୀ କରିଥିଲା । ଆଉ ସେ ବିଜୟୀ ହୋଇଛନ୍ତି । ବର୍ଷା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇଙ୍କୁ ୧୦ ହଜାର ୯୯୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି ।