ସ୍ବାଧୀନରେ ଲଢ଼ି ଜିତିବା ପରେ ବିଜେପିକୁ ହିମାଂଶୁଙ୍କ ରିଟର୍ଣ୍ଣ


ଭୁବନେଶ୍ବର: ଟିକେଟ ମିଳିଲାନି । ବିଦ୍ରୋହ କଲେ । ସମର୍ଥକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହଙ୍ଗାମା କଲେ । ଦଳରୁ ନିଲମ୍ବିତ ହେଲେ । ସ୍ବାଧୀନରେ ଲଢ଼ି ଦମ ଦେଖାଇଲେ ଓ ବିଜୟୀ ହେଲେ । ବିଜୟ ହେବା ପରେ ପୁଣି ଦଳକୁ ଫେରିଲେ ଧର୍ମଶାଳାରୁ ବିଜୟୀ ହୋଇଥିବା ହିମାଂଶୁ ଶେଖର ସାହୁ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ହିମାଂଶୁ ।

ଗତକାଲି ହିମାଂଶୁ ବିଜୟୀ ହେବା ପରେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ । ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ହିମାଂଶୁ । କିନ୍ତୁ ଦଳରେ ତାଙ୍କୁ ଟିକେଟ ନ ମିଳିବାରୁ ସ୍ୱାଧୀନ ଭାବେ ଲଢିଥିଲେ । ଦଳର ନିଷ୍ପତ୍ତି ବିରୋଧରେ ଯାଇ ନିର୍ବାଚନ ଲଢିଥିବାରୁ ବିଜେପିରୁ ନିଲମ୍ବନ ହୋଇଥିଲେ । ତେବେ ସ୍ୱାଧୀନ ଭାବେ ଲଢିଥିଲେ ମଧ୍ୟ ବିଜେଡିର ହେଭିୱେଟ ନେତା ପ୍ରଣବ ବଳବନ୍ତରାୟଙ୍କୁ ୪୧୫୦ ଭୋଟରେ ମାତ୍ ଦେଇଥିଲେ ହିମାଂଶୁ । ବିଜେପିରେ ସାମିଲ ହେବା ପରେ ଦଳ ଭିତରେ ରହି କାମ କରିବେ ବୋଲି କହିଛନ୍ତି ହିମାଂଶୁ ଶେଖର ସାହୁ ।