ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିବା ବେଳେ ଗାଡି ଧକ୍କାରେ ବାପା ମୃତ


ସୋର: ସାବିତ୍ରୀ ବ୍ରତ ଭାର ଦେବାକୁ ଝିଅ ଘରକୁ ଯାଇଥିଲେ । ହେଲେ ଏହି ଯାତ୍ରା ହୋଇଥିଲା ତାଙ୍କର ଶେଷ ଯାତ୍ରା । ଝିଅ ଘରୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ବାପାଙ୍କ ମୃତ୍ୟୁ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଞ୍ଚାୟତ ବାଲିଛନ୍ଦା ଘାଟ ନିକଟରେ । ମୃତକ ଜଣଙ୍କ ହେଲେ ସୁନୀଲ ବାରିକ ।

ସୁନିଲଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ଗାଁରେ । ଆଜି ସାବିତ୍ରୀ ବ୍ରତ ପାଇଁ ସେ ଖଇରାରେ ରହୁଥିବା ତାଙ୍କ ଝିଅ ଘରେ ଭାର ଦେବାକୁ ଯାଇଥିଲେ । ସେଠାରୁ ବାଇକ୍‌ରେ ଫେରୁଥିବା ବେଳେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା କୁହାଯାଉଛି ।  ସୁନୀଲଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ଅନନ୍ତପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।