ପୁଣି ଚମକିବ ଶ୍ରୀମନ୍ଦିର, ଫେରିଲା ଫୋକସ୍ ଲାଇଟ୍

ପୁରୀ: ପୁଣି ଚମକିବ ଶ୍ରୀମନ୍ଦିର ଓ ପରିକ୍ରମା ପ୍ରକଳ୍ପ । ଫୋକସ ଲାଇଟରେ ଚମକିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଭକ୍ତ ଓ ସେବାୟତ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ପରେ ପୁଣି ଥରେ ଫୋକସ ଲାଇଟ୍ ଲଗାଯାଇଛି । ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ତାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବି ଥିଲେ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଯିବା ଘଟଣାର ତଦନ୍ତ ଚାଲିଛି । କାହିଁକି ନଜଣାଇ ଇଭେଣ୍ଟ ସଂସ୍ଥା ହଠାତ ଫକୋସ ଲାଇଟ କାଢି ନେଲା, ସେନେଇ ତଦନ୍ତ ଚାଲଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ଏହି ଘଟଣାରେ ପୁରୀ ସିଂହଦ୍ୱାର ଥାନା ପୋଲିସ ୪ ଜଣଙ୍କୁ ଅଟକ ରଖିଛି । ଅଟକ ରହିଥିବା ସମସ୍ତ କର୍ମଚାରୀ ଥାର୍ଡ ୱେଭ୍ ନାମକ ସଂସ୍ଥା ସହ ଜଡ଼ିତ ।
ଶ୍ରୀମନ୍ଦିର ପରିସରରେ ଆଲୋକୀକରଣ ବ୍ୟବସ୍ଥା ହଠାତ୍ ବନ୍ଦ ପରେ ରାଜ୍ୟବ୍ୟାପୀ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ସ୍ଥାୟୀ ସମାଧାନ ଓ ପୁନଃ ଆଲୋକୀକରଣ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରୀମନ୍ଦିର ଚାରି ପାଖ ଲାଇଟ୍ ଖୋଲାଯିବା ପଛରେ ରହିଛି ଷଡ଼ଯନ୍ତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଲାଇଟ୍ କାଢ଼ି ନେଇ ଅନ୍ଧାର କରାଯିବା ଚିନ୍ତାଜନକ ବିଷୟ ବୋଲି କହିଛି ବିଜେପି । ଯେଉଁ ଅଧିକାରୀମାନେ ଦାୟିତ୍ୱରେ ଅଛନ୍ତି, ଯେଉଁମାନେ କାମଚଳା ସରକାରରେ ଅଛନ୍ତି, ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି । ଏହାସହ ପ୍ରଶ୍ନ ଉଠାଇ ବିଜେପି କହିଛି, ଲାଇଟ୍ ଲଗାଇବା ପାଇଁ ଏଭଳି ସଂସ୍ଥାକୁ କେମିତି ଦିଆଯାଇଛି ଦାୟିତ୍ୱ ? ବିଜେପି ସରକାର ଶପଥ ନେବା ପରେ ଯେଉଁମାନେ ଏଥିରେ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଠିକା ସଂସ୍ଥା ଯଦି ଲଗାଇଥିଲା, ସେ ମନ ଇଚ୍ଛା ଲଗାଇ ନଥିବ। ସରକାରଙ୍କ ଅନୁମତି ଅନୁଯାୟୀ କରିଥିବ । ତେଣୁ ଆଉ ଗୋଟେ ସରକାର ନ ଆସୁଣୁ କାହାର ଅନୁମତି ନନେଇ ଏପରି କାର୍ଯ୍ୟ କରାଯାଇଛି, ଏହା ନିନ୍ଦନୀୟ ଏବଂ ଯେଉଁମାନେ ଏଥିରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଦାୟିତ୍ୱରେ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।