ପଦୋନ୍ନତି କରାଇ ଦେବାକୁ ଡାକ୍ତରଙ୍କ ପାଖରୁ ବିଜେଡି ନେତା ୧୭ ଲକ୍ଷ ଲୁଟିଥିବା ଅଭିଯୋଗ


ରାଇରଙ୍ଗପୁର: ସରକାରରୁ ଯିବା ପରେ ପଦାକୁ ଆସିବାରେ ଲାଗିଛି ବିଜେଡି ନେତାଙ୍କ ଦୁର୍ନୀତି । ପଦୋନ୍ନତି କରାଇ ଦେବାକୁ କହି ଜଣେ ଡାକ୍ତରଙ୍କୁ ଜଣେ ବିଜେଡି ନେତା ୧୭ ଲକ୍ଷ ଟଙ୍କା ଚୂନ ଲଗାଇ ଥିବା ଅଭିଯୋଗ ହୋଇଛି । ଟଙ୍କା ନେବା ପରେ ବିଜେଡି ନେତା ଜଣଙ୍କ ଆଉ ଡାକ୍ତରଙ୍କୁ ଧରାଛୁଆଁ ଦେଉ ନଥିବା ଓ ଟଙ୍କା ମାଗିଲେ ଧମକଚମକ ଦେଇଥିବା ସମ୍ପୃକ୍ତ ଡାକ୍ତର ଅଭିଯୋଗ କରିଛନ୍ତି । ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ଠକାମୀରେ ଶିକାର ହୋଇଥିବା ଡାକ୍ତରଙ୍କ ଅଭିଯୋଗ ପରେ ରାଇରଙ୍ଗପୁର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଡାକ୍ତର ସାଗର ଚନ୍ଦ୍ର ନାଏକଙ୍କ ଅଭିଯାଗ ଅନୁସାରେ, ସେ ୨୦୧୮ ମସିହାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ । ସେହି ସମୟରେ ତାଙ୍କ ସହ ବିଜେଡିର ବରିଷ୍ଠ ନେତା ରତିକାନ୍ତ ପରୀକ୍ଷାଙ୍କ ସହ ସାକ୍ଷାତ ହୋଇଥିଲା । ପରେ ଉଭୟଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା । ଏହାର ସୁଯୋଗ ନେଇ ପରୀକ୍ଷା ତାଙ୍କୁ ଏସ୍ଡିଏମ୍ଓ କରାଇ ଦେବାକୁ କହିଥିଲେ । ଏଥିପାଇଁ ସେ ୨୦ ଲକ୍ଷ ଟଙ୍କା ମାଗିଥିଲେ । ପଦୋନ୍ନତି ଲୋଭରେ ସେ ତାଙ୍କୁ ଦୁଇଟି କିସ୍ତିରେ ୧୦ ଓ ୭ ଲକ୍ଷ କରି ନଗଦ ୧୭ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ନେବାର ଦୀର୍ଘ ଦିନ ପରେ ବି ପଦୋନ୍ନତି ହୋଇ ନଥିଲା । ଏପରିକି ବିଜେଡି ନେତା ରତିକାନ୍ତ ତାଙ୍କୁ ଧରାଛୁଆଁ ଦେଇ ନଥିଲେ ।
ଡାକ୍ତର ନାଏକ ଶୁକ୍ରବାର ଏନେଇ ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଡାକ୍ତରଙ୍କ ଅଭିଯୋଗ କ୍ରମେ ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ରତିକାନ୍ତଙ୍କ ନାଁରେ ଦଫା ୪୧୯, ୪୨୦, ୪୦୬, ୨୯୪, ୫୦୬ ମାମଲା ହୋଇଛି । ରତିକାନ୍ତ ବିଭିନ୍ନ ସମୟରେ ବିଜେଡିର ତୁଙ୍ଗ ନେତାଙ୍କ ସହ ଦେଖିବାକୁ ମିଳୁଥିଲେ । ସେ ବିଜୁ ସେତୁ ଯୋଜନାର ରାଜ୍ୟ ଉପଦ୍ଦେଷ୍ଟା କମିଟିର ସଦସ୍ୟ ମଧ୍ୟ ରହିଛନ୍ତି ।