ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏହାସହ ତାଙ୍କ ମନ୍ତ୍ରୀ ପରିଷଦ ବି ଶପଥ ନେବେ । ଶୁଣିବାକୁ ମିଳୁଛି ୫୦ରୁ ୫୨ ଜଣ ସାଂସଦ ଶପଥ ନେବେ । ତେବେ ଓଡ଼ିଶାରେ ସୁପର ଶୋ’ ଦେଖାଇଥିବା ରାଜ୍ୟ ବିଜେପିର କେତେ ଜଣ ସାଂସଦଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ । କାରଣ ପ୍ରଥମଥର ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବିଜେପି । ଲୋକସଭା ସାଂସଦଙ୍କ ମଧ୍ୟରୁ ଅତି କମରେ ୩ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।
୨୦ ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ ଏକାଧିକଥର ଲୋକସଭାରେ ପ୍ରତିନିଧିତ୍ୱ କରିସାରିଛନ୍ତି । ସେମାନେ ହେଲେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ପ୍ରତାପ ଷଡଙ୍ଗୀ, ସଂଗୀତ କୁମାରୀ ସିଂଦେଓ, ବୈଜୟନ୍ତ ପଣ୍ଡା, ବଳଭଦ୍ର ମାଝି, ଭର୍ତୃହରି ମହତାବ, ଅପରାଜିତା ଷଡଙ୍ଗୀ ଓ ବିଭୁ ପ୍ରସାଦ ତରାଇ । ଏମାନଙ୍କ ମଧ୍ୟରୁ ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀଙ୍କ ନାଁ ଆଗରେ ରହିଛି । ଯଦି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଏ, ତେବେ ଅନ୍ୟ ୩ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ସେହିପରି ବାଚସ୍ପତି ପଦବୀ ପାଇଁ ଭର୍ତୃହରିଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ କାହାକୁ ମିଳିବ ମନ୍ତ୍ରିମଣ୍ଡଳରେ ସ୍ଥାନ, ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ମନ୍ତ୍ରୀ ହେବାକୁ ଥିବା ସାଂସଦଙ୍କୁ ଫୋନ୍ ଆସିବା ଆରମ୍ଭ ହୋଇଯିବ ।