Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ, ଦଳର ପରାଜୟ ପାଇଁ ନିଜକୁ ଦାୟୀ କଲେ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ । ନିଜକୁ ନୈତିକ ଦାୟୀ କରି ସେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ସେ ପଦ ଛାଡ଼ିଛନ୍ତି । ସୋମବାର ନିଜର ଇସ୍ତଫା ପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇଛନ୍ତି ଭକ୍ତ।

ଭକ୍ତ ଦାସ କହିଛନ୍ତି, ଆମେ ଅତି କମ୍‌ରେ ୪୦ରୁ ୪୫ ସିଟ୍ ଜିତି ପାରିଥାନ୍ତୁ। ମାତ୍ର ଦଳ ଆଶାନୁରୂପ ପ୍ରଦର୍ଶନ କରି ପାରିଲାନି। ପ୍ରଚାର କମିଟି ତରଫରୁ ତତ୍ପରତା ପ୍ରକାଶ ପାଇ ପାରିଲାନି। ଆମେ ଯେଉଁ ହିସାବରେ ସଭା-ରାଲି ପ୍ରଚାର କରିବା କଥା କରି ପାରିଲୁନି। ମୁଁ ନିଜେ ନିର୍ବାଚନ ନ ଲଢ଼ିଥିଲେ ହୁଏତ ପ୍ରଚାରକୁ ଅଧିକ ତ୍ୱରାନ୍ୱିତ କରି ପାରିଥାନ୍ତି। ନିର୍ବାଚନ ସମୟରେ ବରିଷ୍ଠ ନେତାଙ୍କ ବୈଠକ ହୋଇ ପାରିଲାନି। ମୋ’ ପଦ ହିସାବରେ ଆହୁରି ଅଧିକ ପ୍ରଦର୍ଶନ କରିବାର ଥିଲା, ଯାହାକି କରି ପାରିଲିନି। ତେଣୁ ନିଜକୁ ନୈତିକ ଭାବେ ଦାୟୀ କରି ପଦକୁ ତ୍ୟାଗ କରୁଛି।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ନର୍ଲାରୁ କଂଗ୍ରେସ ଟିକେଟରେ ମଇଦାନକୁ ଓହ୍ଲାଇଥିଲେ। ଏଥିସହ ସେ ନିଜ ପୁଅ ସାଗର ଦାସଙ୍କୁ ଭବାନୀପାଟଣାରୁ ପ୍ରାର୍ଥୀ କରିଥିଲେ । ସେ ନିଜେ ହାରି ଯାଇଥିବା ବେଳେ ପୁଅକୁ କିନ୍ତୁ ପ୍ରଥମ ନିର୍ବାଚନରେ ହିଁ ବିଜୟର ସ୍ୱାଦ ଚଖାଇବାରେ ସଫଳ ହୋଇଛନ୍ତି। ଉଲ୍ଲେଖନୀୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରାଯାଇଥିଲା। ମାତ୍ର ଏବେ ସେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।