ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ଶାସନ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂ ଦେଓ ଶପଥ ନେଇଛନ୍ତି । ଏହାସହ ମୋହନଙ୍କ ମନ୍ତ୍ରୀ ପରିଷଦ ଭାବେ ୧୩ ଜଣ ଶପଥ ନେଇଛନ୍ତି । ସାମ୍ବାଧିନିକ ନିୟମ ଅନୁସାରେ ଏବେ ବି ୬ଟି ମନ୍ତ୍ରୀ ପଦରେ କାହାରିଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଏହା ପୂରଣ ହେବ ବୋଲି ଆଶା କରାଯାଉଛି । ତେବେ ଏହା ଭିତରେ ଓଡ଼ିଶା ବିଧାନସଭାର ବାଚସ୍ପତିକୁ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଏହି ଆଓନରେ ସୁରମା ପାଢ଼ୀ ବସିପାରନ୍ତି । ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ତାଙ୍କ ନାଁକୁ ଚର୍ଚ୍ଚା ହେଉଛି। ସୁରମା ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନମଣ୍ଡଳୀର ବିଧାୟକ । ସେ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ସୁରମା ପାଢ଼ୀ ୧୯୬୦ ମସିହାର ଡିସେମ୍ବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓକିଲାତି ପଢ଼ିଛନ୍ତି । ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ୧୯୯୮ ମସିହାରେ ସେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ । ୨୦୦୦ ମସିହା ପର୍ଯ୍ୟନ୍ତ ସେ ସେହି ପଦବୀରେ ରହିଥିଲେ । ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ ।
୨୦୦୪ ମସିହାରେ ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ସୁରମା ବିଜେପିରୁ ଲଢ଼ି ବିଜୟୀ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରି ପରାଜିତ ହୋଇଥିଲେ । ଚଳିତ ନିର୍ବାଚନରେ ପୁଣି ଥରେ ଲଢ଼ି ସେ ବିଜୟୀ ହୋଇଛନ୍ତି ।