ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ


ବାଲେଶ୍ବର: ସାମାନ୍ୟ ବଚସାରୁ ଉତକ୍ଷିପ୍ତ ହୋଇଗଲେ ସ୍ବାମୀ । ସ୍ତ୍ରୀଙ୍କୁ ଏକ ଠେଙ୍ଗାରେ ପିଟିପିଟି କଲେ ହତ୍ୟା । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଅସୁରିଆ ଗାଁରେ । ମୃତ ମହିଳା ଜଣକ ହେଲେ କାଞ୍ଚନ ପରିଡା । ସ୍ୱାମୀ ରମାକାନ୍ତ ପରିଡାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଗତକାଲି ରାତିରେ କୌଣସି କଥାକୁ ନେଇ କାଞ୍ଚନ ଓ ରମାକାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ରମାକାନ୍ତ ଏକ ବାଡ଼ି ଆଣି କାଞ୍ଚନଙ୍କୁ ପିଟିପିଟି ହତ୍ୟା କରିଥିଲେ । ପରେ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତ ପଡ଼ିଥିବା ସ୍ଥାନରେ ପାଣି ପକାଇ ଧୋଇବା ସହ କାଞ୍ଚନ ରକ୍ତ ଭିଜା ଲୁଗାକୁ ବଦଳାଇ ନଳକୂପ ନିକଟରେ ପକାଇଥିଲେ।

ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଗାଁରେ ପହଞ୍ଚି ଯାଇଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ରମାକାନ୍ତଙ୍କୁ ଅଟକ ରଖିଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ରମାକାନ୍ତ ଜଣେ ଚୋରା ମଦ ବେପାରୀ । ସେ ଘରେ ମଦ ରଖି ଚୋରାରେ ବିକ୍ରି କରନ୍ତି । ଏପରିକି ସବୁ ବେଳେ ନିଶାଶକ୍ତ ଅବସ୍ଥାରେ ରହିଥାନ୍ତି । ପୂର୍ବରୁ ମଧ୍ୟ ତାଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଗାଁର ଜଣେ ବ୍ୟକ୍ତିଙ୍କୁ ସେ ଛରି ମାରି ହତ୍ୟା କରିଥିବା ଶୁଣିବାକୁ ମିଳୁଛି ।