ଭୁବନେଶ୍ବର: ଗତକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେଇଛନ୍ତି । ଏବେ ସବୁଠି ତାଙ୍କ ସମ୍ପର୍କରେ ଜାଣିବାକୁ ଲୋକେ ଉତ୍ସୁକ । ଏବେ ତାଙ୍କ ସମ୍ପତ୍ତିକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ, ସମସ୍ତେ ଉତ୍ସାହିତ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ତାଙ୍କ ଉପରେ ୯୫ ଲକ୍ଷ ଟଙ୍କାର ଋଣ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ପାଖାପାଖି ପ୍ରାୟ ୨ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କ ନାଁରେ ୯୫ ଲକ୍ଷ ୫୮ ହଜାର ଟଙ୍କାର ଋଣ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କର ନାହିଁ କୌଣସି ଘର । ତେବେ ତାଙ୍କ ପତ୍ନୀଙ୍କ ନାଁରେ ୫୧ ଲକ୍ଷ ଟଙ୍କା ଫିକ୍ସଡ ଡିପୋଜିଟ ଥିବା ବେଳେ ୫୨ ଲକ୍ଷ ଟଙ୍କାର କମରସିଆଲ ବିଲ୍ଡିଂ ରହିଛି । ତାଙ୍କ ପାଖରେ ୩୦ ହଜାର ନଗଦ ଟଙ୍କା ଥିବା ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏହାସହ ତାଙ୍କ ପତ୍ନୀଙ୍କ ପାଖରେ ନଗଦ ୫୦ ହଜାର ଟଙ୍କା ରହିଛି ।
୯ଟି ବ୍ୟାଙ୍କରେ ତାଙ୍କ ଖାତା ରହିଛି । ଏଥିରେ ୧୦ ଲକ୍ଷ ୯୨ ହଜାର ଟଙ୍କା ଅଛି । ପତିପତ୍ନୀଙ୍କ ନାଁରେ ୪ଟି ଏଲଆଇସି ପଲିସି ରହିଛି । ଏହାର ମୂଲ୍ୟ ପାଖାପାଖି ୪ ଲକ୍ଷ ୯୫ ହଜାର ଟଙ୍କା ହେବ । ତାଙ୍କ ପାଖରେ ଲକ୍ଷ ଟଙ୍କାର ଟୋୟୋଟା ଫର୍ଚୁନର ଗାଡ଼ି ରହିଛି । ମୋହନଙ୍କ ପାଖରେ ୧ ଲକ୍ଷ ୨୦ ହଜାର ଟଙ୍କାର ଏବଂ ତାଙ୍କ ପତ୍ନୀଙ୍କ ପାଖରେ ୧ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ରହିଛି । ୧୯ ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟର ଜମି ରହିଛି । ହେଲେ ମୋହନଙ୍କ ନାଁରେ କୌଣସି ଘର ନାହିଁ । ପତ୍ନୀଙ୍କ ନାଁରେ ୩୦ ଲକ୍ଷ ଟଙ୍କା ମୂଲ୍ୟର ଘର ଥିବା ଜଣାପଡିଛି ।