ନୂଆଦିଲ୍ଲୀ/ଭୁବନେଶ୍ୱର:ଓଡ଼ିଶା ସମେତ ଭାରତବର୍ଷରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟକୁ ଗତି ଦିଆଯିବ । ବିଶେଷ ଭାବରେ ଓଡ଼ିଶାରେ ନବଗଠିତ ବିଜେପି ସରକାର ସହଯୋଗରେ ଓଡ଼ିଶାରେ ପିଏମ୍ ଶ୍ରୀସ୍କୁଲ ଓ ପିଏମ ଉଷାକୁ କାର୍ଯ୍ୟକାରୀ କରାଯିବା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦୀ ସରକାରଙ୍କ ତୃତୀୟ ପାଳିରେ ଆଜି ବିଧିବଦ୍ଧ ଭାବେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋ ଉପରେ ନିରନ୍ତର ବିଶ୍ୱାସ ଓ ଭରସା ରଖି ଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ଶିକ୍ଷାର ପ୍ରମୁଖ ଏଜେଣ୍ଡାରେ ମୂଳତଃ ଜାତୀୟ ଶିକ୍ଷା ନୀତିକୁ ଅଧିକରୁ ଅଧିକ କ୍ରିୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ । ମୁଁ ଏବଂ ମୋର ଟିମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ନୂଆ ନୂଆ ମାର୍ଗ ପ୍ରସ୍ତୁତ କରିବୁ । ଭାରତବର୍ଷର ନୂଆପିଢିଙ୍କୁ ବୈଶ୍ୱିକ ସ୍ତରରେ ପହଞ୍ଚାଇବା ପାଇଁ ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବାଲବାଟିକାରୁ ଆରମ୍ଭ କରି ଗବେଷଣା କ୍ଷେତ୍ରରେ ସବୁ କାମକୁ ତ୍ୱରାନ୍ୱିତ କରାଯିବ । ଜାତୀୟ ଶିକ୍ଷା ନୀତି ରୂପକ ଦାର୍ଶନିକ ଦସ୍ତାବିଜ୍ ଆହୁରି ରୁଟେଡ୍ ହେବ । ଶିକ୍ଷା ଦୃଶ୍ୟପଟ୍ଟକୁ ଭବିଷ୍ୟତଗାମୀ କରାଯିବ । ଲୋକଙ୍କୁ ସଶକ୍ତ କରିବା ସହ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରିବା ଆମର ଲକ୍ଷ୍ୟ ରହିଛି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଅନେକ ବିଷୟରେ ସ୍ଥାନୀୟ ସରକାରର ଅସହଯୋଗ କାରଣରୁ ହୋଇପାରୁନଥିଲା । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ସମେତ ସରକାରୀ ସ୍କୁଲ ଗୁଡିକରେ ପିଏମ ଶ୍ରୀସ୍କୁଲକୁ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଇପାରୁନଥିଲା । ପିଏମ ଶ୍ରୀ ଯୋଜନାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ ପ୍ରତିଶତ ପିଲାମାନେ ପରୀକ୍ଷା ଦେଉନଥିବା ବେଳେ ସେ ଉପରେ ଦୃଷ୍ଟି ଦିଆଯିବ । ଓଡ଼ିଶାରେ ନବଗଠିତ ରାଜ୍ୟ ଏବଂ କେନ୍ଦ୍ର ସରକାରର ମିଳିତ ଉଦ୍ୟମରେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବ ।
ଓଡ଼ିଆ ଅସ୍ମିତାର ମୂଳ ବିଷୟ ହେଲା ଓଡ଼ିଶାର ବୌଦ୍ଧିକ କ୍ଷମତା । ରାଜ୍ୟର ଶିକ୍ଷା ବ୍ୟବସ୍ଥା ବହୁତ ଗଭୀର । ୧୯୩୬ ସୁଦ୍ଧା ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ । ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରିବ । ଏହି ସମୟ ସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଜନରେ ଗୁଣାତ୍ମକ ଶିକ୍ଷା ଆଧାରରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ହେବ । ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ଏବଂ ସ୍କିଲ୍ ଶିକ୍ଷା ଉପରେ ଯୋର୍ ଦିଆଯିବ ।
କେନ୍ଦ୍ରମନ୍ତ୍ରୀଙ୍କ ସହ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଭାବରେ ଜୟନ୍ତ ଚୌଧୂରୀଏବଂ ଡା. ସୁକାନ୍ତ ମଜୁମଦାର୍ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।
୧୯୩୬ରୁ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଭିଜନରେ ଗୁଣାତ୍ମକ ଶିକ୍ଷା ଆଧାରରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ଲକ୍ଷ
