Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରଜରେ ନାହିଁ ବର୍ଷା, ଗୁଳୁଗୁଳି କରିବ ଅଥୟ

ଭୁବନେଶ୍ବର: ଏଥର ବିନା ବର୍ଷାରେ କଟିବ ରଜ । ଗ୍ରୀଷ୍ମ ପ୍ରବାହକୁ ଗୁଳୁଗୁଳି ରଜକୁ କରିବ ଫିକା । ଏମିତି କିଛି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଜାରି ରହିବା ନେଇ ସତର୍କତା ଜାରି କରାଯାଇଛି । ମୌସୁମୀ ରଜ ପୂର୍ବରୁ ସକ୍ରିୟ ହେବନି ବୋଲି କହିଛି ପାଣିପାଗ ବିଭାଗ । ୩ରୁ ୪ ଦିନ ମଧ୍ୟରେ ହିଁ ମୌସୁମୀ ଆଗକୁ ବଢିବାକୁ ପାଗ ଅନୁକୂଳ ରହିଛି । ଅନ୍ଯପଟେ ଜୁନ୍ ୧ ତାରିଖରୁ ଆଜି ଯାଏଁ ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି ।
କାଁ ଭାଁ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଶୁକ୍ରବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୪ରୁ ୧୭ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ସତର୍କ କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର ଓ ବୌଦ୍ଧକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ଆଗକୁ ବଢିବାକୁ ବଳ ପାଉନି । ଏବେ ଦୁଇଟି ଜିଲ୍ଲା କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅଟକି ଯାଇଛି ମୌସୁମୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ବର୍ଷା ସହ ମୌସୁମୀ ଆଗକୁ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୦.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ୬୬.୧ ମିଲିମିଟର ବର୍ଷା ରେକର୍ଡ ହେବା କଥା । ଯାହା ସ୍ବାଭାବିକ ବର୍ଷାଠାରୁ ୨୮ ପ୍ରତିଶତ କମ୍ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।