ରାଜା ସ୍ବାଇଁ ହେଲେ ଓଡ଼ିଶା ବିଧାନସଭାର କାମଚଳା ବାଚସ୍ପତି


ଭୁବନେଶ୍ବର: ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ ଓଡ଼ିଶା ବିଧାନସଭାର କାମଚଳା ବାଚସ୍ପତି । ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବରେ ରାଜା ସ୍ବାଇଁ ଶପଥ ନେଇଛନ୍ତି । ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ ।
କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୮ ଓ ୧୯ ତାରିଖରେ ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ । ଏହାପରେ ୨୦ ତାରିଖରେ ବାଚସ୍ପତି ନିର୍ବାଚନକୁ ପରିଚାଳନା କରିବେ ।
୧୯ ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ଜଣାପଡ଼ିଛି । ବିଜେପି ନିଜର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କୁ ବାଚସ୍ପତି ପଦରେ ଆସୀନ କରାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଧାନସଭାରେ ବିଜେପିର ୭୮ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପଦ ବିଜେପି ପାଖରେ ରହିବ ବୋଲି ଜଣାପଡ଼ିଛି ।
ବିଧାନସଭା ଓ ସଂସଦରେ ସ୍ୱଳ୍ପ ସମୟ ପାଇଁ ଗୃହ କାର୍ଯ୍ୟ ପରିଚାଳନା ପାଇଁ କାମଚଳା ବାଚସ୍ପତି ନିଯୁକ୍ତି କରାଯାଇଥାଏ । ବରିଷ୍ଠ ବିଧାୟକଙ୍କୁ ପ୍ରୋଟେମ୍ ସ୍ପକର ବା କାମଚଳା ବାଚସ୍ପତି ଭାବରେ ନିଯୁକ୍ତି ଦିଆଯାଏ ।