ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ, ରଜ ସଂକ୍ରାନ୍ତି ଖାଲି ହୋଇଗଲା ମାଆ କୋଳ


ରେଢ଼ାଖୋଲ: ସାରା ରାଜ୍ୟ ଓଡ଼ିଶାର ଗଣପର୍ବରେ ମସଗୁଲ ଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍‌ଏସିର ୯ ନମ୍ବର ୱାର୍ଡ କଳିନ୍ଦର ଗାଁରୁ ଆସିଛି ଦୁଃଖଦ ଖବର । ପୋଖରୀରେ ବୁଡ଼ି ଦୁଇ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଉଛନ୍ତି ପ୍ରିୟାଂଶୁ ସେଠ (ସାଢ଼େ ୩ ବର୍ଷ) ଓ ଶ୍ରୀୟାଂଶୁ ସେଠ (ଅଢ଼େଇ ବର୍ଷ) ।
କଳିନ୍ଦର ଗାଁର ଏକ କୁକୁଡ଼ା ଫାର୍ମରେ ପ୍ରିୟାଂଶୁ ଓ ଶ୍ରୀୟାଂଶୁଙ୍କ ବାପା ଟୁକୁନା ସେଠ ଓ ମାଆ ତିଳୋତ୍ତମା ମିର୍ଦ୍ଧା କାମ କରନ୍ତି । ଆଜି ସକାଳେ ତିଳୋତ୍ତମା ସାପ୍ତାହିକ ହାଟକୁ ପରିବା କିଣିବାକୁ ଯାଇଥିଲେ । ଟୁକୁନା କୁକୁଡ଼ା ଫାର୍ମରେ କିଛି କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ଘର ବାହାରେ ଖେଳୁଥିବା ପ୍ରିୟାଂଶୁ ଓ ଶ୍ରୀୟାଂଶୁ କୁକୁଡ଼ା ଫାର୍ମ ପାଖରେ ଥିବା ପୋଖରୀ ନିକଟକୁ ଚାଲି ଯାଇଥିଲେ । କୌଣସି ପ୍ରକାରେ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ ।
ତିଳୋତ୍ତମା ହାଟରୁ ଫେରିବା ପରେ ଦୁଇ ଛୁଆଙ୍କୁ ଖୋଜାଖଷାଜି କରି ପାଇ ନଥିଲେ । ସେ ଓ ତାଙ୍କ ସ୍ୱାମୀ ଘର ଓ କୁକୁଡ଼ା ଫାର୍ମ ଆଖପାଖରେ ଛୁଆମାନଙ୍କୁ ଖୋଜି ନିରାଶ ହୋଇଥିଲେ । କିଛି ସମୟ ପରେ ପ୍ରିୟାଂଶୁ ପାଣିରେ ଭାସୁଥିବା ସେମାନେ ଦେଖିବାକୁ ପାଇଥିଲେ । ଖୋଜାଖୋଜି କରିବା ପରେ ପୋଖରୀରୁ ଶ୍ରୀୟାଂଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ପ୍ରିୟାଂଶୁ ଓ ଶ୍ରୀୟାଂଶୁଙ୍କୁ ବାପାମାଆ ରେଢ଼ାଖୋଲ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।