ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ଲିକ୍ ହୋଇଥିଲା ନିଟ୍ ପେପର


ଭୁବନେଶ୍ବର: ନିଟ୍ ବିବାଦକୁ ନେଇ ପୁଣି ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ଲିକ୍ ହୋଇଥିଲା ନିଟ୍ ପେପର । ପ୍ରାୟ ୩୦ରୁ ୩୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ପେପର । ଏହା ସ୍ବୀକାର କରିଛନ୍ତି ବିହାରରୁ ଗିରଫ ହୋଇଥିବା ଅଭିଯୁକ୍ତ ସିକନ୍ଦର ।
କେବଳ ସେତିକି ନୁହେଁ, ସିକନ୍ଦର ଅନ୍ଯ କେତେକ ନିଟ ପରୀକ୍ଷାର୍ଥୀଙ୍କ ସହ ମଧ୍ୟ ଯୋଗସୂତ୍ରରେ ଥିଲା । ମେ’ ୪ରେ ସେମାନେ ପ୍ରଶ୍ନପତ୍ର ପାଇଥିଲେ । ଏହି ଘଟଣାରେ ନିଜର ସମ୍ପୃକ୍ତି ନେଇ ସ୍ବୀକାର କରିଛନ୍ତି ଅନ୍ଯ ଅଭିଯୁକ୍ତ ଅମିତ ଓ ନୀତୀଶ ।
ସେପଟେ ନିଟ ବିବାଦ ପରିପ୍ରେକ୍ଷୀରେ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ସେ ଏନଟିଏର ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି । ଛାତ୍ରଛାତ୍ରୀ ଏହି ଅନିୟମତିତାର ଅଯଥା ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି । ସେପଟେ କେନ୍ଦ୍ର ବିରୋଧରେ ଏକ ହେବାରେ ଲାଗିଛନ୍ତି ବିରୋଧୀ । ନିଟରେ ହୋଇଥିବା ଜାଲିଆତି ଅଭିଯୋଗକୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଥିବାବେଳେ କେନ୍ଦ୍ରକୁ ଘେରିଛନ୍ତି ବିରୋଧୀ । ନିଟ ବିବାଦ ପରିପ୍ରେକ୍ଷୀରେ ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି କେବଳ ନୀରବଦ୍ରଷ୍ଟା ସାଜିଛି ବୋଲି ଡିଏମକେ ଅଭିଯୋଗ କରିଛି । ଏପରିକି ବିଭିନ୍ନ କୋଚିଂ ସେଣ୍ଟରକୁ ଏନଟିଏ ପ୍ରୋତ୍ସାହନ ଦେଇଆସୁଛି ବୋଲି ଦଳ କହିଛି ।
କଂଗ୍ରେସ ବି ସୁପ୍ରିମକୋର୍ଟ ନେତୃତ୍ବରେ ତଦନ୍ତ କରାଯାଉ ବୋଲି ଦାବି କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ନିଟ୍ ସ୍କାମ ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ଯତକୁ ଅନ୍ଧାର କରିଦେଇଛି । ସେହିପରି ଏହି ମାମଲାରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଏହି ସ୍କାମ ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମଧ୍ଯ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ଆସନ୍ତା ଜୁଲାଇ ୬ରେ ମେଡିକାଲ କଲେଜଗୁଡିକରେ ସିଟ୍ ଲାଗି କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ସୁପ୍ରିମକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଜୁଲାଇ ୮ରେ ହେବ । ଏହି ଅନିୟମିତତା ବିରୋଧରେ ଅଗରତାଲା ଓ ଦିଲ୍ଲୀରେ ଆନ୍ଦୋଳନ ଦେଖିବାକୁ ମିଳିଛି ।