ବିବାଦରେ EVM: ସାଂସଦଙ୍କ ଶଳା ମୋବାଇଲକୁ ଆସିଥିଲା EVM ଖୋଲିବାର ଓଟିପି

ମୁମ୍ବାଇ: ପୁଣି ବିବାଦରେ ଇଭିଏମ । ୨୦୨୪ ନିର୍ବାଚନ ସରିଛି ସରକାର ଗଠନ ହୋଇ ସାରିଛି ।ତେବେ ଏହାରି ଭିତରେ ପୁଣି ଥରେ ଇଭିଏମକୁ ନେଇ ଆସିଛି ଅଭିଯୋଗ । ମୁମ୍ବାରେ ଜଣେ ସାଂସଦଙ୍କ ଶଳାଙ୍କ ମୋବାଇଲକୁ ଆସିଥିବା ଓଟିପିରେ ଇଭିଏମ ଖୋଲିଥିବା ଜଣାପଡିଛି । ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ମୁମ୍ବାଇ ନର୍ଥ ୱେଷ୍ଟରୁ ଜିତିଛନ୍ତି ରବୀନ୍ଦ୍ର ୱେକର୍ । ସେ ହେଉଛନ୍ତି ସିନ୍ଦେ ଗୋଷ୍ଠୀ ଶିବସେନାର ସାଂସଦ । ଅଭିଯୋଗ ଅନୁସାରେ ରବୀନ୍ଦ୍ରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ମୋବାଇଲକୁ ଆସିଥିବା ଓଟିପି ଜରିଆରେ ଖୋଲିଥିଲା ଗୋଟିଏ ଇଭିଏମ୍ । ଗୋଟିଏ ଗଣତି କେନ୍ଦ୍ରରେ ଏପରି ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗେଶଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି । ଗଣତି କେନ୍ଦ୍ରରେ ମୋବାଇଲ ବ୍ଯବହାର କରିବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି। ଏହାସହ ଜଣେ ନିର୍ବାଚନ ଅଧିକାରୀଙ୍କ ନାଁରେ ମଧ୍ଯ ମାମଲା ରୁଜୁ ହୋଇଛି । ମୁମ୍ବାଇ ପୋଲିସର ୩ଟି ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରବୀନ୍ଦ୍ର ୱେକର ମାତ୍ର ୪୮ ଖଣ୍ଡ ଭୋଟରେ ଉଦ୍ଧବ ଗୋଷ୍ଠୀ ଶିବସେନାର ପ୍ରାର୍ଥୀଙ୍କୁ ହରାଇଛନ୍ତି । ଉଦ୍ଧବ ଗୋଷ୍ଠୀ କହିଛନ୍ତି, ଏହାକୁ ସେମାନେ କୋର୍ଟରେ ଚ୍ଯାଲେଞ୍ଜ କରିବେ ।